କଟକ/ଭୁବନେଶ୍ବର: କଳାହାଣ୍ଡି ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା (Mamita Meher murder Case) । ଏହି ସମ୍ବେଦନଶୀଳ ମାମଲାରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ ଏବିଏସ ନାଇଡୁ (Retired Judge ABS Naidu To Monitor Mamita Murder Probe ) । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ଶିକ୍ଷୟତ୍ରୀ ମମିତା ମେହେର ପ୍ରସଙ୍ଗ । ରାଜ୍ୟବ୍ୟାପି ଆନ୍ଦୋଳନ ଜାରୀ ରଖିଛନ୍ତି ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର (Home Minister Divyashankar Mishra) ଙ୍କ ଇସ୍ତଫା ସହ ଗିରଫ ଏବଂ ମାମଲାରେ ନିରପେକ୍ଷ ତଦନ୍ତ ଲାଗି ଅଡି ବସିଛନ୍ତି ବିରୋଧୀ । ବିରୋଧୀ ନଛୋଡବନ୍ଧା ନୀତି ଆପଣାଇଥିବାରୁ ବ୍ୟାକଫୁଟରେ ଥିଲେ ସରକାର । ଏନେଇ ଚାପ ବଢିବାରୁ ସରକାର ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର ।
ଏଥିରେ ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ଜିଲ୍ଲା ଦୌରାଜଜ କିମ୍ବା ଅବସରପ୍ରାପ୍ତ ଜିଲ୍ଲା ଦୌରାଜଜଙ୍କୁ ତଦନ୍ତ ଦାୟିତ୍ବ ଦେବାକୁ ଅନୁରୋଧ କରିଥିଲେ । ଆଜି ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରିଛନ୍ତି ହାଇକୋର୍ଟ ।
ଅବସରପ୍ରାପ୍ତ ଜିଲ୍ଲା ଜଜ ଏବିଏସ ନାଇଡୁ ଙ୍କୁ ତଦନ୍ତ ପ୍ରକ୍ରିୟାର ତଦାରଖ କରିବା ପାଇଁ ମନୋନୀତ କରିଛନ୍ତି ହାଇକୋର୍ଟ । ମାମଲାରେ ପୋଲିସ ଗୋବିନ୍ଦ ସାହୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିଛି । ଏହା ସହ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କଟକରୁ ନାରାୟଣ ସାହୁ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ