କଟକ: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣାରେ ଥିବା ଏକ ହଷ୍ଟେଲରୁ ଟାଟା ପାଓ୍ୱାର ବିଦ୍ୟୁତ୍ ସଂଯୋଗ କାଟିବା ଘଟଣା । ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଓଡିଶା ମାନବିକ ଅଧିକାର କମିଶନ । ଏହା ଦ୍ୱାରା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହୋଇଛି ଦର୍ଶାଇ ତୁରନ୍ତ ଅନ୍ୟାଦେଶ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ କରିବାକୁ କମିଶନ ଚନ୍ଦ୍ରଶେଖରପୁର ଟିପିସିଓଡିଏଲର ଏକଜ୍ୟୁକୁଟିଭ୍ ଇଂଜିନିୟର ଓ ଏସଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଡମଣାରେ ଥିବା ଏକ ବିଲ୍ଡିଂର ମାଲିକ ଭଡା ଦେବାରେ ବିଳମ୍ବ କରୁଥିବାରୁ ବିଦ୍ୟୁତ ବିଭାଗ ସେଠାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେଇଥିଲା । କିନ୍ତୁ ସେଠାରେ ଏକ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଥିବାରୁ ସେମାନଙ୍କ ପାଠପଢା ଓ ରହିବାରେ ସମସ୍ୟା ଦେଖାଦେଇଥିଲା । ତେଣୁ ସେମାନେ ମାନବିକ ଅଧିକାର କମିଶନଙ୍କ ନିକଟରେ ପିଟିସନ ଦାୟର କରିଥିଲେ । ସେମାନଙ୍କ ପକ୍ଷରୁ ଆଡଭୋକେଟ ନିଶିକାନ୍ତ ମିଶ୍ର ଏହି ମାମଲା ପରିଚାଳନା କରିଥିଲେ । ସେ କମିଶନଙ୍କ ନିକଟରେ ଯୁକ୍ତି ଦର୍ଶାଇଥିଲେ ଯେ ବିଲ୍ଡିଂରେ ହଷ୍ଟେଲ ଚାଲୁଥିବାରୁ ଏଠାରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ମାନବିକ ଅଧିକାର ଉଲଂଘନ ହେଉଛି ।
ତେଣୁ ସେଠାକୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ ହେବା ଦରକାର । କମିଶନ ଏହାକୁ ଗ୍ରହଣ କରି ଚନ୍ଦ୍ରଶେଖରପୁର ଟିପିସିଓଡିଏଲର ଏକଜ୍ୟୁକୁଟିଭ୍ ଇଂଜିନିୟର ଓ ଏସଡିଓଙ୍କୁ ବିଦ୍ୟୁତ୍ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଲ୍ଡିଂର ମାଲିକ ପୁରେନ୍ଦ୍ର ସାହୁଙ୍କୁ ମଧ୍ୟ ଚନ୍ଦ୍ରଶେଖରପୁର ଥାନା ଆଇଆଇସିଙ୍କ ଜରିଆରେ ନୋଟିସ ଜାରି ହୋଇଛି । ଆସନ୍ତାକାଲି (ମଙ୍ଗଳବାର) ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ଏଥିରେ ବିଲ୍ଡିଂ ମାଲିକ, ଟିପିସିଓଡିଏଲର ଏକଜ୍ୟୁକୁଟିଭ୍ ଇଂଜିନିୟର ଓ ଏସଡିଓଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ