କଟକ: ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ପଦରୁ ପୂର୍ବତନ କ୍ରିକେଟର ଓ୍ବାସିମ ଜାଫର ଇସ୍ତଫା ଦେଇଛନ୍ତି । ୨ଟି ସିଜିନ ରହିବା ପରେ ଓ୍ୱାସିମ୍ ଜାଫର କୋଚ୍ ପଦ ଛାଡ଼ିବା ନେଇ ଓସିଏ ପକ୍ଷରୁ ସୂଚନା ମିଳିିଛି । ଶନିବାର ଓ୍ବାସିମଙ୍କ ଇସ୍ତଫା ପତ୍ରକୁ ଓସିଏ (ଓଡ଼ିଶା କ୍ରିକେଟ ଆସୋସିଏସନ) ଗ୍ରହଣ କରିଛି । ଓଡ଼ିଶା ରଣଜୀ ଟିମର କୋଚ ପଦ ପାଇଁ ଓ୍ବାସିମ ଓସିଏ ସହିତ ଦୁଇ ବର୍ଷୀୟା ଚୁକ୍ତି କରିଥିଲେ । ବର୍ତ୍ତମାନ ବାଂଲାଦେଶ କ୍ରିକେଟ ବୋର୍ଡର ଏକ ପ୍ରମୁଖ ପଦବୀରେ ଯୋଗ ଦେଉଥିବାରୁ ଓସିଏ ହାତ ଛାଡିଛନ୍ତି ୱାସିମ । ଓ୍ବାସିମଙ୍କ ସ୍ଥାନରେ ଆସନ୍ତା ସିଜନ ୨୦୨୨-୨୩ ପାଇଁ ଓଡିଶା ସିନିୟର ଦଳର ମୁଖ୍ୟ କୋଚ ଭୂମିକା ନିର୍ବାହ କରିବେ ଆର.ଶ୍ରୀକାନ୍ତ ।
ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର ଓଡିଶା କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଥିଲେ । କିଛି ଦିନ ଧରି ସେ ଓସିଏ ଛାଡିବା ନେଇ ଆଲୋଚନା ହେଉଥିଲା । ଓସିଏ ସହ ହୋଇଥିବା ଚୁକ୍ତି ଆସନ୍ତା ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିଥାନ୍ତା । କିନ୍ତୁ ଏହା ପୂର୍ବରୁ ଓ୍ବାସିମ ଜାଫର ଓସିଏ ସହିତ ନିଜର ସମ୍ପର୍କକୁ ଛିନ୍ନ କରିଛନ୍ତି । ବାଂଲାଦେଶର 19 ବର୍ଷରୁ କମ ବର୍ଗ ଟିମ ପାଇଁ କୋଚ ପାଇଁ ଓ୍ବାସିମ ବାଙ୍ଗଲାଦେଶ କ୍ରିକେଟ ବୋର୍ଡ ଓ୍ବାସିମକୁ ଅଫର ଦେଇଥିବା ବେଳେ ସେହି ଅଫରକୁ ଓ୍ବାସିମ ଗ୍ରହଣ କରିଛନ୍ତି ।
ଓ୍ବାସିମଙ୍କ ସ୍ଥାନରେ ପୂର୍ବତନ ରଣଜୀ ଖେଳାଳି ଆର.ଶ୍ରୀକାନ୍ତଙ୍କୁ ଓଡ଼ିଶା ରଣଜୀ ଦଳର କୋଚ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ଆର.ଶ୍ରୀକାନ୍ତ ଏବେ ଓଡ଼ିଶା କ୍ରିକେଟ ଏକାଡେମୀ ପାଇଁ ବୈଷୟିକ ନିର୍ଦ୍ଦେଶକ ଭାବେରେ କାର୍ଯ୍ୟ କରୁଛନ୍ତି । ଶ୍ରୀକାନ୍ତ ପୂର୍ବରୁ ଓଡିଶା ପାଇଁ ରଣଜୀ ଟ୍ରଫି ଖେଳିଛନ୍ତି । ଏହାସହ ଗତ ୨୦ ବର୍ଷ ଧରି କ୍ରିକେଟ ପ୍ରଶିକ୍ଷଣ କ୍ଷେତ୍ରରେ ପରିଚୟ ହାସଲ କରିଛନ୍ତି ।
ଇଟିଭି ଭାରତ, କଟକ