କଟକ: ପାରିବାରିକ ବିବାଦରେ ଛନ୍ଦି ହୋଇ ଅପଦସ୍ତ ହୋଇଥିବା ଅଭିନେତା ବାବୁସାନଙ୍କୁ ଏବେ ଘାରିଛି ଗିରଫଦାରୀର ଭୟ । ନିଜ ଗରିଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିନେତା ବାବୁସାନ ମହାନ୍ତି । ବାବୁସାନ ବୁଧବାର ଦିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।
ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ହୋଇଥିବା ମାମଲାରେ ଗିରଫଦାରୀର ଭୟ ଥିବାରୁ ବାବୁସାନ ଏହି ଆବେଦନ କରିଛନ୍ତି । ତୃପ୍ତି ଶତପଥୀ ଖାରବେଳ ନଗର ଥାନାରେ ଦାଖଲ କରିଥିବା ମାମଲାରେ ସେ ତାଙ୍କ ସ୍ବାମୀଙ୍କ ଦ୍ବାରା ନିର୍ଯ୍ଯାତିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହା ସହିତ ବାବୁସାନ ତାଙ୍କୁ ଧମକ ଚମକ ଦେଉଥିବା କଥା ମଧ୍ୟ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଫଳସ୍ବରୂପ ପୋଲିସ ବାବୁସାନଙ୍କ ବିରୋଧରେ ଆଇପିସିର ଧାରା 498 (A) ଘରୋଇ ହିଂସା ଓ 506 (ଧମକ ଦେବା)ରେ ଏକ ମାମଲା ରୁଜୁ କରିଛି ।
ବାବୁସାନଙ୍କ ଓକିଲ ଧରଣୀଧର ନାୟକ କହିଛନ୍ତି, "ବାବୁସାନଙ୍କ ପତ୍ନୀ ତାଙ୍କ ବିରୋଧରେ ଯେଉଁ ମାମଲା ରୁଜୁ କରିଛନ୍ତି । ସେହି ମାମଲାକୁ ନେଇ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ପୋଲିସ ଯଦି ପଚରାଉଚରା ପାଇଁ ତାଙ୍କୁ ଡାକେ ତେବେ ସେ ପୋଲିସକୁ ସହଯୋଗ କରିବା ପାଇଁ ମୁଁ ତାଙ୍କୁ ପରାମର୍ଶ ଦେଇଛି" ।
ବାବୁସାନଙ୍କ ବିରୋଧରେ ଲାଗିଥିବା ଦୁଇଟି (ଆଇପିସିର ଧାରା 498(A) ଓ 506 ) ଯାକ ଦଫା ଜାମିନ ବିହୀନ ରହିଛି । ଏହି ଧାରାରେ ପୋଲିସ ପାଖରେ ଗିରଫଦାରୀର କ୍ଷମତା ଥିବାରୁ ଏହାକୁ ଦେଖି ବାବୁସାନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତେବେ ବାବୁସାନଙ୍କ ଦ୍ବାରା ହୋଇଥିବା ଏହି ଜାମିନ ଆବେଦନର ଶୁଣାଣି ଅତି କମ୍ରେ ଦୁଇ ସପ୍ତାହରୁ ଅଧିକ ସମୟ ଲାଗିବ ବୋଲି ଜଣା ପଡ଼ିଛି । ଯେକୌଣସି ସମୟରେ ପୋଲିସ ବାବୁସାନଙ୍କୁ ନୋଟିସ ଜାରି କରି ଜେରା କରିବା ପାଇଁ ଥାନାକୁ ଡାକି ପାରେ ବୋଲି ଜଣା ପଡ଼ିଛି ।
ଇଟିଭି ଭାରତ, କଟକ