କଟକ: ରକ୍ତ ଦାନ କର ହେଲମେଟ ନିଅ । ଏହାଟିକେ ଅପ୍ରାସଙ୍ଗିକ ଲାଗିଥିଲେ ମଧ୍ୟ ଏହାର ବାସ୍ତବ ଅର୍ଥ ବେଶ ହୃଦୟସ୍ପର୍ଶୀ । ଏହାର ପ୍ରକୃତ ଅର୍ଥ ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାରେ ସହାୟକ ହୁଅ । ରକ୍ତ ଦେଇ ଅନ୍ୟ ଜଣକ ଜୀବନରେ ବଞ୍ଚିବାର ଆଧାର ସାଜିବା ଓ ନିଜେ ହେଲମେଟ ପିନ୍ଧି ନିଜକୁ ମଧ୍ୟ ସୁରକ୍ଷିତ ରଖିବା । ଏଭଳି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରଥମ କରି ହାତକୁ ନେଇଛି କଟକ ଦେବାନୀ ବଜାର ସ୍ଥିତ ତେଲୁଗୁ ବସ୍ତି।
ଅନ୍ୟପଟେ ଆୟୋଜକ କମିଟିର ଏପରି ଚିନ୍ତାଧାରାକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ବିଧାୟକ ମହମ୍ମଦ ମୋକିମ । ମୋକିମଙ୍କ କହିବାନୁଯାୟୀ, ଵର୍ତ୍ତମାନ ସମୟରେ ଅନେକ ମର୍ମନ୍ତୁଦ ଦୁର୍ଘଟଣାର ଚିତ୍ର ସମ୍ନାକୁ ଆସୁଛି । ଯେଉଁଥିରେ ଅନେକ ଅମୂଲ୍ୟ ଜୀବନ ଚାଲିଯାଉଛି। ଯଦି ଗାଡି ଚଳାଇଲା ବେଳେ ହେଲମେଟ ବ୍ୟବହାର କରିବେ ତେବେ ଜୀବନର ମୂଲ୍ୟ ଦ୍ବିଗୁଣିତ ହେବା ନିଶ୍ଚିତ ।
ତେବେ ନୂଆ ମୋଟରଯାନ ଆଇନକୁ ନେଇ ଅନେକ ବିକ୍ଷୋଭ ଧାରଣା ସାମ୍ନାକୁ ଆସୁଛି । ଯେଉଁଥିପାଇଁ କମିଶନରେଟ ପୋଲିସ ଲୋକଙ୍କୁ ବୁଝାଇବା ସହ ଚକୋଲେଟ ଓ ଫୁଲ ତୋଡା ମଧ୍ୟ ଦେଉଛି । କିନ୍ତୁ ଆଜିର ଏହି ନିଆରା ବାର୍ତ୍ତା ନିଜେ ବଞ୍ଚ ଅନ୍ୟକୁ ବଞ୍ଚିବାର ରାହା ଦେଖାଇବା ବାଟ ଲୋକଙ୍କ ମନକୁ ବଦଳାଇବ ବୋଲି ଆଶା ରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ