କଟକ : ମାନବ ସମାଜ ପାଇଁ ଘନେଇବାରେ ଲାଗିଛି ବିପଦ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ମାରାତ୍ମକ ରୋଗ କବଳରେ ଲୋକେ । ଟମାଟୋ ଫ୍ଲ୍ୟୁ ପରେ ଏବେ ଚିନ୍ତାର କାରଣ ପାଲଟିଛି ମଙ୍କି ପକ୍ସ । ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଏହି ମାରାତ୍ମକ ରୋଗରେ ଆକ୍ରାନ୍ତଙ୍କ ସଂଖ୍ଯା ବଢିବା ପରେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପାଇଁ ଚିନ୍ତା କରିଛି ହୁ ।
ମାରାତ୍ମକ ଭାଇରସ ମଙ୍କି ପକ୍ସ ବିଭିନ୍ନ ରାଷ୍ଟ୍ରରେ ବ୍ୟାପିବା ଆରମ୍ଭ କଲାଣି । ଏହି ମଙ୍କି ପକ୍ସକୁ ସ୍ବାସ୍ଥ୍ୟ ଏମରଜେନ୍ସି ଭାବେ ଘୋଷଣା କରାଯାଇଛି । ତେବେ ଆମ ଭାରତରେ ମଧ୍ୟ ଏହି ରୋଗ ଦେଖାଗଲାଣି । ଏହା ଏକ ଭାଇରାଲ ଇନଫେକ୍ସନ । ଯାହା ମାଙ୍କଡ଼ ମାନଙ୍କ ଦେହରୁ ଆସିଥାଏ । ପରେ ମଣିଷରୁ ମଣିଷଙ୍କୁ ବ୍ୟାପିଥାଏ।
ପ୍ରଥମେ ଜ୍ୱର ହେବା, ଶରୀରର ଗ୍ରନ୍ଥି ଫୁଲିଯିବା, ଦେହସାରା ଫୋଟକା ହୋଇଯିବା ଭଳି ଲକ୍ଷଣ ଦେଖାଯାଏ । କିନ୍ତୁ ଅନେକ ସମୟରେ ଏହା ଜଟିଳ ରୂପ ଧାରଣ ମଧ୍ୟ କରିଥାଏ । ଯେଉଁଥିରେ କି ରକ୍ତ ସଂକ୍ରମଣ, ମସ୍ତିଷ୍କ ସଂକ୍ରମଣ ଓ ଫୁସଫୁସ୍ ସଂକ୍ରମଣ ମଧ୍ୟ ହୋଇଥାଏ । ନିରାକରଣ ପାଇଁ ମଙ୍କିପକ୍ସ ଲକ୍ଷଣ ଦେଖାଦେଲେ ରୋଗୀ ସମ୍ପୂର୍ଣ୍ଣ ଅଲଗା ରହିବେ ।
ହାତ ସଫା ରଖିବେ, ସାଧାରଣ ଲୋକଙ୍କ ଠାରୁ ଦୂରତା ଅବଲମ୍ବନ କରିବେ, ରୋଗୀର ବିଛଣାକୁ ମଧ୍ୟ ଭଲ ଭାବରେ ପରିଷ୍କାର ରଖିବା ଉଚିତ୍ । ଏହି ରୋଗର ସିଧା ସଳଖ କୌଣସି ଔଷଧ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ । ତେଣୁ ସ୍ମଲ ପକ୍ସ ଭେକ୍ସିନକୁ ପ୍ରତିଷେଧକ ଭାବରେ ଦିଆଯାଇପାରିବ । ତେବେ କୌଣସି ପ୍ରକାର ଔଷଧ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କହିଛନ୍ତି ଚର୍ମ ରୋଗ ବିଶେଷଜ୍ଞ ।
ସୂଚନାନୁସାରେ, ଗତ ମେ ମାସ ଆରମ୍ଭରୁ ଏହି ରୋଗ କବଳରେ ପଡ଼ିଛନ୍ତି ବିଶ୍ବବାସୀ । ୟୁକେ, ସ୍ପେନ, ବେଲଜିୟମ, ଇଟାଲୀ, ଅଷ୍ଟ୍ରେଲିଆ ଓ କାନାଡ଼ାରେ ଏହି ରୋଗ ଚିହ୍ନଟ ହୋଇଛି । ଗତ ମେ ୭ ତାରିଖରେ ଇଂଲଣ୍ଡରେ ମଧ୍ୟ ମଙ୍କି ପକ୍ସରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିଛି । ଯିଏକି ନିକଟରେ ନାଜେରିଆ ଗସ୍ତ କରିଥିଲେ ।
ତେବେ ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍କିପକ୍ସ ଏକ ବିରଳ କିନ୍ତୁ ଗୁରୁତର ଭାଇରାଲ୍ ରୋଗ । ଏହା ସାଧାରଣତଃ ଫ୍ଲ୍ୟୁ ପରି ରୋଗ ଏବଂ ଲିମ୍ଫ ନୋଡ(ରୋଗ ପ୍ରତିରୋଧକ ଶକ୍ତିର ଏକ ଅଂଶ)ର ଫୁଲା ଠାରୁ ଆରମ୍ଭ ହୋଇ ମୁହଁ ଏବଂ ଶରୀରରେ ଘା' ହୋଇଯାଏ ।
ଇଟିଭି ଭାରତ, କଟକ