କଟକ: ଏଣିକି ଆୟୁଷ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ ନଥିଲେ ଅନ୍ୟ କେହି ରୋଗୀଙ୍କୁ ଔଷଧ ବିତରଣ କରି ପାରିବେ ନାହିଁ । ରବିବାର ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟରେ କୋଭିଡ ମୁକାବିଲା ପାଇଁ 267 ଜଣ ଆୟୁଷ ଡାକ୍ତରଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ଥିବା ଆୟୁର୍ବେଦିକ ଔଷଧ ବିତରଣରେ ସମସ୍ୟା ସୃଷ୍ଟି ହୋଇଛି । ଏଥିପାଇଁ ଆୟୁଷ ହସ୍ପିଟାଲମାନଙ୍କରେ ଥିବା ଆୟୁଷ ସହାୟକ ଓ ନାଇଟ ୱାଚମ୍ୟାନଙ୍କ ଜରିଆରେ ଔଷଧ ବିତରଣ କରିବା ପାଇଁ ଗତ ମେ’ 27 ତାରିଖରେ ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶାଳୟରୁ ନିର୍ଦ୍ଦେଶ ଦିଆଯାଇଥିଲା ।
ତେବେ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଓଡିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଓଡିଶା ଆୟୁର୍ବେଦିକ କଂଗ୍ରେସ ପକ୍ଷରୁ ରୁଜୁ କରାଯାଇଥିଲା । ମାମଲାର ଶୁଣାଣି କରି ଆୟୁଷ ନିର୍ଦ୍ଦେଶାଳୟ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ଏନେଇ ଆୟୁଷ ଡାକ୍ତରଙ୍କ ବିନା ପ୍ରେସ୍କ୍ରିପ୍ସନରେ ଏହି ସହାୟକ ଓ ନାଇଟ ୱାଚମ୍ୟାନମାନେ ରୋଗୀଙ୍କୁ ଔଷଧ ବିତରଣ କରି ପାରିବେ ନାହିଁ ବୋଲି ହାଇକୋର୍ଟ ନିଜ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।
ମାମଲାର ପ୍ରତିପକ୍ଷ ଆୟୁଷ ନିର୍ଦ୍ଦେଶାଳୟ ଓ ସ୍ବାସ୍ଥ୍ୟ ସଚିବ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆସନ୍ତା ଜୁନ 30 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ