କଟକ: ନିଟ ପିଜି କାଉନ୍ସିଲିଂରେ (neet pg counselling ) ବିଳମ୍ବ ନେଇ ତେଜିଲା ଆନ୍ଦୋଳନ । SCB ବଡ଼ ମେଡ଼ିକାଲରେ ଥିବା ପିଜି ଛାତ୍ରଛାତ୍ରୀ ଏହାର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି ଛାତ୍ରଛାତ୍ରୀ ।
ରୋଗୀ ସେବାକୁ ଗୁରୁତ୍ବ ଦେଇ ଏହି ପ୍ରସଙ୍ଗକୁ ଟାର୍ଗେଟ କରିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ବର୍ତ୍ତମାନ ସମୟରେ କୋଭିଡର ଆଉ ଏକ ଲହର ଆସୁଥିବା ବେଳେ କାଉନସେଲିଂରେ ବିଳମ୍ବ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଅନ୍ୟପଟେ ଓମିକ୍ରନର ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଛି । ଏପରି ସ୍ଥଳରେ ନିଟ ପିଜି କାଉନସେଲିଂକୁ ବିଳମ୍ବ କରିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ସହ ସମାନ। ତେଣୁ ଯଥାଶ୍ରୀଘ୍ର ନିଟ ପିଜି କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।
ପ୍ରତିବର୍ଷ ଜୁନ ସୁଦ୍ଧା କାଉନସେଲିଂ କରାଯାଇ ନୂଆ ବ୍ୟାଚ ପିଲା ଆସି ସାରିଥାନ୍ତି । ହେଲେ ଚଳିତ ବର୍ଷ ବିଳମ୍ବିତ ହୋଇଛି । ଏ ସମସ୍ୟା ନେଇ ପୂର୍ବରୁ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ ହେଲେ କିଛି ସୁଫଳ ମିଳିନାହିଁ । ପୁଣି ଆଜି ଯଥାଶ୍ରୀଘ୍ର ନିଟ ପିଜି କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ