କଟକ: ସରିଲା ମାଟ୍ରିକ ପରୀକ୍ଷା । ଏଥର ମାଟ୍ରିକ ପରୀକ୍ଷା ପ୍ରାୟତଃ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଶେଷ ଦିନରେ ପରୀକ୍ଷାର୍ଥୀ ସାମାଜିକ ବିଜ୍ଞାନରେ ପରୀକ୍ଷା ଦେଇଛନ୍ତି। ସହଜ ପ୍ରଶ୍ନ ଥିବାରୁ ଶେଷ ଦିନର ପରୀକ୍ଷା ଭଲ ହୋଇଥିବାରୁ ପରୀକ୍ଷାର୍ଥୀମାନେ ଢେର ଖୁସି ନଜର ଆସିଥିଲେ।
ତେବେ ପିଲାଙ୍କ ପରୀକ୍ଷା ଠିକଠାକ୍ ସରିଥିବାରୁ ଆଶ୍ବସ୍ତ ହୋଇଛନ୍ତି ଅଭିଭାବକ । ତେବେ ଆସନ୍ତା 18 ତାରିଖରୁ ରାଜ୍ୟର 61 ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆରମ୍ଭ ହେବ ବୋଲି କହିଛନ୍ତି ବୋର୍ଡ ସଭାପତି।
ପ୍ରାୟ 20ଦିନ ଧରି ଚାଲିବାକୁ ଥିବା ଏହି ମୂଲ୍ୟାୟନ ପାଇଁ ପ୍ରାୟ 15ହଜାର ରୁ ଅଧିକ ଶିକ୍ଷକ ନିୟୋଜିତ ରହିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ସୂଚନା ଦେଇଛନ୍ତି । ଏଥର ମାଟ୍ରିକ ପରୀକ୍ଷା ନୂଆ ଢାଞ୍ଚାରେ କରାଯାଇଥିବାରୁ ବିଶେଷ କରି ଅବଜେକ୍ଟିଭି ପରୀକ୍ଷାରେ ଓ.ଏମ.ଆର ସିଟ ବଦଳରେ ସିଧାସଳଖ ଉତ୍ତର ପାଇଁ ବ୍ୟବସ୍ଥା କରାଯାଇଥିବାରୁ ମୂଲ୍ୟାୟନ କାର୍ଯ୍ୟ 12ରୁ 15ଦିନ ବଦଳରେ ପ୍ରାୟ 20ଦିନ ଧରି ଚାଲିବ । ତେବେ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଖାତାର ମୂଲ୍ୟାୟନକୁ ନିର୍ଭୁଲଭାବେ ସମ୍ପାଦନ କରିବା ପାଇଁ ବୋର୍ଡ ପକ୍ଷରୁ ଗୁରୁତ୍ବ ଦିଆଯାଉଛି ବୋଲି ବୋର୍ଡ ସଭାପତି କହିଛନ୍ତି ।
ଚଳିତବର୍ଷ 5ଲକ୍ଷ 60ହଜାର 905 ଜଣ ପରୀକ୍ଷାର୍ଥୀ ମାଟ୍ରିକ, ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ଦେଇଛନ୍ତି । ଆସନ୍ତା ଏପ୍ରିଲ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ମାଟ୍ରିକ ଫଳ ପ୍ରକାଶ ହେବାର ଅନୁମାନ କରାଯାଉଛି । ଏଭଳି ସ୍ଥିତିରେ ଏବେ ସମସ୍ତଙ୍କର ମାଟ୍ରିକ ପରୀକ୍ଷାର ଫଳାଫଳକୁ ଅପେକ୍ଷା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ