କଟକ: ଗତକାଲି(ଗୁରୁବାର) ମହାନଦୀ(Mahanadi)ରେ ବୁଡି ଯାଇଥିବା ସମସ୍ତ 4 ସ୍କୁଲ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର । ଆଜି ସକାଳେ ପ୍ରଥମେ ଜଣଙ୍କୁ ଉଦ୍ଧାର କରି କଟକ ଏସସିବି(SCB)ରେ ଭର୍ତ୍ତି କରିଥିଲେ ଉଦ୍ଧାରକାରୀ ଟିମ୍ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ 2 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ଏବଂ ମଧ୍ୟାହ୍ନରେ ଅନ୍ୟଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମିଳିଥିବା ସୂଚନା ମୁତାବକ, ଏହି ୪ ଜଣ କଟକ ନୂଆବଜାର ପୋତାପୋଖରୀ ଅଞ୍ଚଳର । ଗୁରୁବାର 2 ଟାରେ ସାଇକେଲ ନେଇ ଘରୁ ବାହାରକୁ ଆସିଥିଲେ । ମାତ୍ର ଘରକୁ ଫେରିବାରେ ବିଳମ୍ବ ଘଟିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ସେମାନେ ଗାଧୋଇବାକୁ ମହାନଦୀକୁ ଆସିଥିବା ଜାଣିବାକୁ ପାଇଥିଲେ । ମହାନଦୀ ଭଦିମୂଳା ଘାଟରେ ସେମାନଙ୍କ ସାଇକେଲ, ଜୋତା ଏବଂ ଡ୍ରେସ ପଡିଥିବା ଦେଖି ଦମକଳ ବାହିନୀ(ODRF Team)କୁ ଖବର ଦେଇଥିଲେ ।
ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଖୋଜାଖୋଜି ପରେ ଆଜି ସକାଳୁ 3 ଜଣଙ୍କ ମୃତଦେହ ଉଦ୍ଧାର କରି ଥିବାବେଳେ ଅନ୍ୟଜଣଙ୍କୁ ଖୋଜାଖୋଜି କରୁଥିଲେ ଉଦ୍ଧାରକାରୀ ଟିମ୍ । ପରବର୍ତ୍ତୀ ମୂହୁର୍ତ୍ତରେ ସମସ୍ତଙ୍କ ମୃତଦେହ ଠାବ କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ