କଟକ: ଆଜି ମେଲାଣି ନେଉଛନ୍ତି ମା’ କାଳୀ। ଭସାଣୀ ପାଇଁ ଉତ୍ସବ ମୁଖର ହୋଇଛି କଟକ ସହର। ଘଣ୍ଟ, ଘଣ୍ଟା, ଶଙ୍ଖ ଓ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଦୁଲୁକୁଛି କଟକ ସହର। ଶାନ୍ତିଶୃଙ୍ଖଳା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଡିସିପି ଅଖିଲେଶ୍ଵର ସିଂହ କହିଛନ୍ତି।
ସହରରେ କମିଶନରେଟ ପୋଲିସ ପକ୍ଷରୁ ୫୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ୨ଶହ ଅଫିସର ସହ କେନ୍ଦ୍ରୀୟ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ସେହିପରି ଟ୍ରାଫିକ ବ୍ୟବସ୍ଥାରେ ମଧ୍ୟ କଟକଣା ଜାରି କରାଯାଇଛି। ତେବେ ଏପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଭସାଣୀ ଶୋଭାଯାତ୍ରା ଚାଲିଥିବା ଡିସିପି କହିଛନ୍ତି। ମୂର୍ତ୍ତି ବିସର୍ଜନ ପାଇଁ ଦେବୀଗଡା ଠାରେ ୩ ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଦେବୀଗଡ଼ାରେ ୨୩ଟି ମେଢ଼ ବିସର୍ଜନ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ