କଟକ: ଖରା ଆରମ୍ଭରୁ ବଜାରରେ ଏବେ ଲେମ୍ବୁର ମହଙ୍ଗା ମାଡ଼ । ଏପରିକି ସେଓ, ଅଙ୍ଗୁରୁକୁ ବି ବଳି ଗଲାଣି ଲେମ୍ବୁ ଦର। କଟକରେ ଏବେ ଗୋଟିଏ ଲେମ୍ବୁର ଦର 10 ଟଙ୍କାରୁ 12 ଟଙ୍କାରେ ବିକ୍ରି ହେଉଛି । ସାଧାରଣତଃ ଗରମ ଦିନରେ ଲେମ୍ବୁର ଚାହିଦା ଅଧିକ ରହିଥାଏ । କିନ୍ତୁ ଚଳିତ ବର୍ଷ ଲେମ୍ବୁର ଉତ୍ପାଦନ ଓ ଆମଦାନୀ କମ ରହିବା କାରଣରୁ ଏଭଳି ଦର ବୃଦ୍ଧି ପାଇଛି ।
ଆମ ରାଜ୍ୟର ବରଗଡ଼, ରାୟଗଡା, ଅନୁଗୋଳ ଆଦି ସ୍ଥାନରୁ ଲେମ୍ବୁ ଆସିଥାଏ । ଏହାଛଡା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ମଧ୍ୟ ଲେମ୍ବୁ ଆମଦାନୀ ହୋଇଥାଏ । କିନ୍ତୁ ଚଳିତବର୍ଷ ପରିବର୍ତ୍ତିତ ପାଣିପାଗ ଯୋଗୁଁ ଫସଲ ଅମଳ କମ ରହିଥିବା ଜଣାପଡିଛି । ସେପଟେ ଡିଜେଲର ଦର ବୃଦ୍ଧି ହେବା ଯୋଗୁଁ ମାଲ ପରିବହନ ଓ ଭଡା ବଢିଥିବାରୁ ସେ ମଧ୍ୟ ଆଉ ଏକ କାରଣ । ଯେଉଁଥିପାଇଁ ଲେମ୍ବୁର ହଠାତ ଦର ବୃଦ୍ଧି ହୋଇଛି ବୋଲି କହିଛନ୍ତି ବ୍ୟବସାୟୀ । ଅନ୍ୟପଟେ ଗୋଟିଏ ମାସ ପରେ ଏହି ବର୍ଦ୍ଧିତ ଦର କମିବା ନେଇ ଆକଳନ କରିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ