କଟକ: ବିଂଶ ଶତାବ୍ଦିରେ ବି ବସୁଛି କଙ୍ଗାରୁ କୋର୍ଟ । ଏବେବି ପ୍ରେମ ବିବାହକୁ ନେଇ ଜରିମାନା ସହ ଧଣ୍ଡବିଧାନ ଭୋଗିବାକୁ ପଡୁଛି ଲୋକଙ୍କୁ । ଏପରି ଏକ ଘଟଣା ନୟାଗଡ ଜିଲ୍ଲା ଶରଣକୁଳ ଅଞ୍ଚଳରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଅନୀଲ ମୁଦୁଲି ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ 2017 ମସିହାରେ ପ୍ରେମବିବାହ କରିଥିଲେ । ଏହାପରେ ଗ୍ରାମରେ ପ୍ରେମବିବାହକୁ ବିରୋଧ କରି ଗ୍ରାମସଭା ବସାଯାଇଥିଲା । ଗ୍ରାମସଭାରେ ଅନୀଲଙ୍କୁ 1 ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଥିଲା । ଅନୀଲ ଜରିମାନା ବାବଦକୁ ସମସ୍ତ ଅର୍ଥ ମଧ୍ୟ ଦେଇଥିଲେ ।
ଏହାପରେ ଗ୍ରାମସଭାପତି ପରିବର୍ତ୍ତନ ହେବାରୁ ଜଣେ ନୂଆ ସଭାପତି ନିଯୁକ୍ତି ହୋଇଥିଲେ । ନୂଆ ସଭାପତି ପୁଣି ଏହି ମାମଲାକୁ ନେଇ ଏକ ଗ୍ରାମସଭା ବସାଇ ଜରିମାନା ବାବଦକୁ ଅନୀଲଙ୍କୁ 10 ଲକ୍ଷ ଟଙ୍କା ଦେବାକୁ କହିଥିଲେ । ଏତେଟଙ୍କା ଦେଇପାରିବେନି ବୋଲି ଅନୀଲ କହିବାରୁ ଅନୀଲଙ୍କୁ ଗାଁରୁ ବାହାର କରିଦେବା ସହ ଗାଁକୁ ଆସିଲେ ଜୀବନରୁ ମାରିଦେବାକୁ ଗ୍ରାମସଭାରେ ଧମକ ଦିଆଯାଇଥିଲା । ସେବେଠାରୁ ଅନୀଲ ଗାଁକୁ ମଧ୍ୟ ଫେରିନାହାଁନ୍ତି ।
ଏତିକିରେ ଅନୀଲଙ୍କ ପାଇଁ ସରିନି ଦଣ୍ଡବିଧାନ । ଗତ ଅକ୍ଟୋବର 17 ତାରିଖରେ ଅନୀଲଙ୍କ ବାପା, ମାଆଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ସହ ତାଙ୍କ ଜମିକୁ ଜବରଦସ୍ତ ଚାଷ କରାଯାଇଛି । ଏନେଇ ଅନୀଲଙ୍କ ଭାଇ ବ୍ରଜବନ୍ଧୁ ମୁଦୁଲି ହାଇକୋର୍ଟରେ ଏକ ମାମଲା ଦାୟର କରିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଏସପି ମାମଲାର ତଦନ୍ତ ଆରମ୍ଭ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ