କଟକ: ମହିଳାଙ୍କ ଲାଗି ସମସ୍ୟା ସୃଷ୍ଟି କରୁଛି ଅନଲାଇନ କ୍ଳାସ ! ପ୍ରଭାବିତ ହେଉଛନ୍ତି ଶିକ୍ଷୟିତ୍ରୀ ଓ ଛାତ୍ରୀ ! ଅନଲାଇନ କ୍ଳାସ ପାଇଁ ଶିକ୍ଷୟିତ୍ରୀମାନେ ନିଜର ଫୋନ ନମ୍ବରକୁ ସାର୍ବଜନୀନ କରୁଛନ୍ତି। ଯାହାର ସୁଯୋଗ ନେଇ କିଛି ଖରାପ ସ୍ବଭାବର ବ୍ୟକ୍ତି ଅନେକ ସମୟରେ ଶିକ୍ଷୟିତ୍ରୀଙ୍କୁ କଲ କରି ହଇରାଣ ହରକତ କରୁଛନ୍ତି । ଏହାସହ କ୍ଲାସ ଚାଲିଥିବା ସମୟରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବାର ଅଭିଯୋଗ ହେଉଛି ।
କିଛିଦିନ ପୂର୍ବେ ରେଭେନ୍ସା ବିଶ୍ବବିଦ୍ୟାଳୟର ଆଇଟିଏମ୍ ବିଭାଗରେ ଅନଲାଇନ କ୍ଲାସ ସମୟରେ ଜଣେ ଛାତ୍ର ଅଶ୍ଳୀଳ ଭାଷାରେ ଗାଳି କରିଥିବାର ଅଭିଯୋଗ ହୋଇଥିଲା । ଫଳରେ ଶିକ୍ଷୟିତ୍ରୀଙ୍କୁ କ୍ଲାସକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା । ତେବେ ଏପରି ସମସ୍ୟା ଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା କୁହାଯାଉଛି ।
ସେପଟେ ସମ୍ପୃକ୍ତ ଛାତ୍ର ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । 2 ହଜାର ଟଙ୍କା ଫାଇନ କଟାଯିବା ସହ ଛାତ୍ର ଜଣଙ୍କ କେବେ ବି ଗୋଲ୍ଡ ମେଡାଲ ପାଇପାରିବେ ନାହିଁ ବୋଲି କୁହାଯାଇଛି । ସେହିପରି କୌଣସି ବଡ ସେମିନାରରେ ମଧ୍ୟ ସେ ଭାଗ ନେଇପାରିବେ ନାହିଁ ବୋଲି କୁଳପତି କହିଛନ୍ତି । ଏହାସହ ଯଦି କୌଣସି ଶିକ୍ଷୟିତ୍ରୀ ଏଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁଳପତି ଜଣାଇଛନ୍ତି ।
ଅନ୍ୟପଟେ କିଛିଦିନ ପୂର୍ବେ କଟକର ଏକ ସରକାରୀ ବିଦ୍ୟାଳୟର ଅନଲାଇନ କ୍ଳାସ ସମୟରେ ପ୍ରଧାନଶିକ୍ଷକ ଅଶ୍ଳୀଳ ଭିଡିଓ ଗ୍ରୁପରେ ଛାଡିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ଏପରି ଅନେକ ଅଭିଯୋଗ ଆସିବା ପରେ ଏବେ ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ପାଇଁ ଅନଲାଇନ କ୍ଲାସ ମୁଣ୍ଡବିନ୍ଧାର କାରଣ ପାଲଟୁଥିବା କୁହାଯାଉଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ