କଟକ: ଐତିହାସିକ ସହର କଟକ...ଏହାର ଇତିହାସ ଯେତିକି ପୁରୁଣା ସେତିକି ରୋମାଞ୍ଚକର ମଧ୍ୟ । କଟକ ସହରରେ ପାର୍ବଣର ପରମ୍ପରା ଟିକିଏ ନିଆରା, ପାର୍ବଣ ଆସିଲେ ରଙ୍ଗିନ ଆଲୁଅରେ ଝଲସି ଉଠେ ବାଉନ ବଜାର ତେପନ ଗଳିର ପ୍ରତିଟି ପୂଜା ମଣ୍ଡପ, ଖାସ କରି ଦଶହରା ପର୍ବରେ ।
ମା’ ଦୁର୍ଗାଙ୍କ ବିଜୟା ଦଶମୀକୁ ଆଉ ମାତ୍ର ଦିନ କେଇଟା ଥିବାରୁ ଚଳଚଞ୍ଚଳ ସିଲଭର ସିଟିର ଦୁର୍ଗା ପୂଜା ମଣ୍ଡପ । ପ୍ରତିଟି ମଣ୍ଡପରେ ଏବେ ମା'ଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ତେବେ ଭିନ୍ନ ଭିନ୍ନ ପୂଜା ମଣ୍ଡପରେ ମା'ଙ୍କୁ ପୂଜା କରାଯାଉଥିବା ବେଳେ ସର୍ପା ଦୁର୍ଗା ମଣ୍ଡପର ବିଶେଷ ସ୍ବତନ୍ତ୍ରତା ରହିଛି । ଯିଏ ନିଜର ପୌରାଣିକ ଓ ପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛି । ଏହି ମଣ୍ଡପ ଆଜିକୁ ୨୭୦ ବର୍ଷ ପୁରି ସାରିଲାଣି । ମାତ୍ର ଏଠାକାର ପରମ୍ପରା ଓ ପୂଜା ରିତିନୀତିରେ ସବୁ ପୂଜା ମଣ୍ଡପ ତୁଳନାରେ ଭିନ୍ନ ।
୧୭୫୨ ମସିହାରେ ଏଠାରେ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା । ତତ୍କାଳୀନ ଜମିଦାର ସ୍ୱରୁପ ଚନ୍ଦ୍ର ଦାସ କୋଲକାତାରୁ ଆସି ଏଠାରେ ପୂଜା ଆରମ୍ଭ କରିଥିଲେ । ଏହି ସର୍ପା ଦୁର୍ଗା ପୂଜା ମଣ୍ଡପ ଘରୋଇ ପୂଜା ରୂପରେ ପୂଜା କରାଯାଇଥାଏ । ଏଠାରେ ସବୁଠାରୁ ବଡ ଖାସ କଥା ହେଉଛି ଏଠାରେ ପୁରୁଷ ପୁରୁଷ ଧରି ମୂର୍ତ୍ତି କାରିଗର, ପୂଜକ ଓ ପୂଜା ପରିଚାଳନା ନିଜ ନିଜ ବଂଶଧର ମାନେ କରି ଆସୁଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଭାଇଚାରା ସହର, ମା'ଙ୍କ ମେଢ଼ କାମରେ ମୁସଲମାନ ପରିବାର
୧୯୫୦ ମସିହା ବେଳକୁ ୭ ସାହି ଏକାଠି ହୋଇ ଉକ୍ତ ସ୍ଥାନରେ ମାଙ୍କ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ କରିଥିଲେ । ପ୍ରଥମେ ଏକ ଚାଳ ଘରେ ଏହିଠାରେ ମାଙ୍କ ପୂଜା କରାଯାଉଥିଲା । ପରେ ଜରି ମେଢରେ ମା'ଙ୍କ ମଣ୍ଡପ ଶୋଭା ପାଉଥିଲା । ଏବେ ଏଠାରେ ରୂପା ମେଢ ପ୍ରସ୍ତୁତ ହୋଇସାରିଛି । ସେହିପରି ମା'ଙ୍କ ଲାଗି ରୂପା ଓ ସୁନା ଆଦି ଗହଣା ମଧ୍ୟ ପ୍ରସ୍ତୁତ କରାଯାଇଛି । ଏଠାକାର ଆଉ ଏକ ସ୍ୱତନ୍ତ୍ରତା ହେଉଛି କଟକର ଭସାଣୀ ପର୍ବରେ ସର୍ପା ଦୁର୍ଗାଙ୍କ ମେଢ ସାମୀଲ ହୋଇ ନଥାଏ । ଦଶମୀ ଦିନରେ ହିଁ ମା’ ଦୁର୍ଗାଙ୍କୁ ଭସାଣୀ କରାଯାଇଥାଏ ବୋଲି କହିଛନ୍ତି କର୍ମକର୍ତ୍ତା । ତେବେ ଭସାଣୀ କାର୍ଯ୍ୟ ମଧ୍ୟ ଅତି ନିରାଡମ୍ୱର ଭାବେ କରାଯାଇଥାଏ । ଅନ୍ୟାନ୍ୟ ପୂଜା ମଣ୍ଡପ ଭଳି କୌଣସି ବ୍ୟୟବହୁଳ ନାଚଗୀତ ଅବା ରୋସଣୀର ଛାପ ଦେଖିବାକୁ ମିଲିନଥାଏ ।
ଏଠାରେ କେବଳ ପୂଜା ଉପରେ ଗୁରୁତ୍ୱ ଦିଆଯାଇଥାଏ । କଟକର ଅଧିକାଂଶ ପୂଜା ମଣ୍ଡପରେ ଦୁର୍ଗାଙ୍କୁ ମା' ରୂପରେ ପୂଜା କରାଯାଇଥାଏ । ମାତ୍ର ଏଠାରେ ମାଙ୍କୁ ଝିଅ ରୂପରେ ପୂଜା କରାଯାଉଛି । ଦଶମୀ ତିଥିରେ ସିନ୍ଦୁର ଖେଳରେ ମା ଦୁର୍ଗାଙ୍କୁ ଝିଅ ରୂପରେ ବିଦାୟ ଦେଇଥାନ୍ତି । ଅତି ସ୍ୱଳ୍ପ ବଜେଟରେ ଏହି ମଣ୍ଡପରେ ପୂଜା କରାଯାଏ । ଅନ୍ୟ ମଣ୍ଡପ ଗୁଡିକରେ ମୂର୍ତ୍ତି ସହ ତୋରଣକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଏଠାରେ କେବଳ ମା’ଙ୍କ ପୂଜାକୁ ଏଠାରେ ଗୁରୁତ୍ୱ ଦିଆଯାଇଥାଏ ।
ଇଟିଭି ଭାରତ, କଟକ