କଟକ: ସ୍କୁଲ ଫି’ ଛାଡ ପ୍ରସଙ୍ଗରେ ହାଇକୋର୍ଟଙ୍କ 2021 ଜାନୁଆରୀ 7 ତାରିଖର ରାୟ ପୂର୍ବରୁ ସ୍ବାକ୍ଷରିତ ଏମଓୟୁ କାର୍ଯ୍ୟକାରୀ ନେଇ ଜାନୁଆରୀ 19ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରକାଶ କରିଥିବା ବିଜ୍ଞପ୍ତିକୁ ବିରୋଧ କରି ଦାୟର ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି । ଏହି ପ୍ରସଙ୍ଗରେ ଆବେଦନକାରୀ ନିର୍ଦ୍ଦିଷ୍ଟ ଭାବେ ରହିଥିବା ସମସ୍ୟା ସଂକ୍ରାନ୍ତରେ ସରକାରଙ୍କୁ ଅବଗତ କରିବେ । ଦୁଇ ସପ୍ତାହ ଭିତରେ ସରକାର ଏହି ପ୍ରସଙ୍ଗରେ ଆଇନ ଅନୁସାରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
![ହାଇକୋର୍ଟ](https://etvbharatimages.akamaized.net/etvbharat/prod-images/img-20210203-wa00161612379403668-29_0402email_1612379415_269.jpg)
ସେହିପରି ଏ ନେଇ ଆବେଦନକାରୀଙ୍କୁ ଅବଗତ କରିବେ ବୋଲି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଆସୋସିଏସନ୍ ଅଫ୍ ଓଡିଶା ଆଇସିଏସଇ ସ୍କୁଲ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
![ହାଇକୋର୍ଟ](https://etvbharatimages.akamaized.net/etvbharat/prod-images/img-20210203-wa00171612379403668-40_0402email_1612379415_267.jpg)
ମାମଲାର ବିବରଣୀରୁ ପ୍ରକାଶ ଯେ, ସ୍କୁଲ ଫି ଛାଡ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଣଶିକ୍ଷା ସଚିବଙ୍କ ମଧ୍ୟସ୍ଥତାରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ଏ ସମ୍ପର୍କିତ ରିପୋର୍ଟ 2020, ସେପ୍ଟେମ୍ବର 29ରେ ଗଣଶିକ୍ଷା ବିଭାଗ ହାଇକୋର୍ଟରେ ଦାଖଲ କରିଥିଲା । ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ 7ଟି ସ୍ଲାବରେ ସ୍କୁଲ ଫି ଛାଡ ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଥିଲା ।
ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଚୂଡାନ୍ତ ରାୟ 2021 ଜାନୁଆରୀ 7ରେ ପ୍ରକାଶ କରିଥିଲେ । ଏହାପରେ 2021 ଜାନୁଆରି 19ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରି ଏମଓୟୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ