କଟକ: ହାଇଦ୍ରାବାଦର ଇଟାଭାଟିକୁ କାମ କରିବାକୁ ଯାଇ ନିଖୋଜ ଶ୍ରମିକ ପ୍ରସଙ୍ଗ । ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କୁ ବ୍ୟକ୍ତିଗତ ନୋଟିସ ଜାରି କଲେ ହାଇକୋର୍ଟ । ନିଖୋଜ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ବାରମ୍ବାର ହାଇକୋର୍ଟ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଫେରାଇ ଅଣାଯାଇନାହିଁ । ତେଣୁ ପରବର୍ତ୍ତୀ ଶୁଣାଣିରେ ଜିଲ୍ଲାପାଳଙ୍କ ଓ ଏସପି ବ୍ୟକ୍ତି ଭାବେ ହାଜର ହେବାକୁ କୁହାଯାଇଛି । ସେବତୀ ପୁଟଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନେଇ ଗଠିତ ଖଣ୍ଡପୀଠରେ ସମ୍ପର୍କିତ ମାମଲାରେ ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ ଉଦ୍ଧାର ପ୍ରସଙ୍ଗରେ ସାନି ସ୍ଥିତି ନେଇ କୌଣସି ତଥ୍ୟ ଉପସ୍ଥାପନା ହୋଇନଥିଲା । ତେଣୁ ପରବର୍ତ୍ତୀ ଶୁଣାଣିରେ ଜିଲ୍ଲାପାଳ ଓ ଏସପି ନିଜ କାର୍ଯ୍ୟାଳୟରକୁ ଭର୍ଚୁଆଲରେ ଶ୍ରମିକଙ୍କୁ ଫେରାଇ ଆଣିବାକୁ କେଉଁ ପଦକ୍ଷେପ ସେନେଇ କୋର୍ଟଙ୍କୁ ଅବଗତ କରାଇବେ ।
ସୂଚନାଯୋଗ୍ୟ, ବଲାଙ୍ଗୀର ଗୋଏଲମାରା ଗାଁ ଗୌର ପୁଟଙ୍କୁ ସ୍ଥାନୀୟ ଦଲାଲ ଓ ଶ୍ରମିକ ଠିକାଦାର ହାଇଦ୍ରାବାଦର ଏକ ଇଟାଭାଟିକୁ କାମ କରିବାକୁ ନେଇଥିଲେ। କିନ୍ତୁ ଗୌର ଆଉ ଘରକୁ ଫେରି ନଥିଲେ। ଗୌରଙ୍କ ଉଦ୍ଧାର ପ୍ରସଙ୍ଗକୁ ନେଇ ତାଙ୍କ ପରିବାର ପକ୍ଷରୁ ୨୦୧୫ରେ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । ୨୦୧୭, ମାର୍ଚ୍ଚ ୧ରେ ବଲାଙ୍ଗୀର ଏସପିଙ୍କୁ ଗୌରଙ୍କ ନିଖୋଜ ମାମଲାର ତଦନ୍ତର ତଦାରଖ କରିବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଥିଲେ । ୨୦୧୭, ଅଗଷ୍ଟ ୮ରେ ବଲାଙ୍ଗୀର ଜିଲ୍ଲାପାଳ, ଏସପି ଓ ଶ୍ରମ ଅଧିକାରୀଙ୍କୁ ତଦନ୍ତକାରୀ ଅଧିକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ପୀଡିତଙ୍କ ଉଦ୍ଧାର ପାଇଁ ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନଥିଲା।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ