କଟକ: ସରକାରୀ ସ୍କୁଲରେ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ନିୟମ ଆଧାରରେ ବାଣିଜ୍ୟ ସ୍ନାତକଙ୍କୁ ବାଦ ଦିଆଯାଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ବାଣିଜ୍ୟ ସ୍ନାତକ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ ଗ୍ରହଣୀୟ ବୋଲି ରାୟ ଦେଇଛନ୍ତି । ସରକାରୀ ହାଇସ୍କୁଲରେ ଚୁକ୍ତିଭିତ୍ତିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି କ୍ଷେତ୍ରରେ ବାଣିଜ୍ୟ ସ୍ନାତକ ଡିଗ୍ରି ଥିବା ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ ଖାରଜ ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି । ଆବେଦନକାରୀଙ୍କ ପ୍ରାର୍ଥିତ୍ବ ଗ୍ରହଣ କରି ନିଯୁକ୍ତି ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି । ଏଭଳି ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ବିଚାର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ଜ୍ୟୋତିରଂଜନ ଜେନା ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଅଗଷ୍ଟ ୨୮ରେ ଚୁକ୍ତିଭିତ୍ତିକ ଟିଜିଟି ପଦ ପୂରଣ ପାଇଁ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇ କଳା/ବାଣିଜ୍ୟ ବା ଶାସ୍ତ୍ରୀ ଡିଗ୍ରି ସହିତ ବିଏଡ୍ ପାସ୍ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରି ପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା । ପ୍ରାର୍ଥୀ ଦୁଇଟି ସ୍କୁଲ ବିଷୟ ଯଥା ଇଂରାଜୀ, ଓଡ଼ିଆ, ସଂସ୍କୃତ, ଇତିହାସ, ଭୂଗୋଳ, ଅର୍ଥନୀତି, ରାଜନୀତି ବିଜ୍ଞାନ ଇତ୍ୟାଦି ରଖି ସ୍ନାତକ ପାସ୍ କରିଥିବେ ବୋଲି ସର୍ତ୍ତରେ ଉଲ୍ଲେଖ କରାଯାଇଥିଲା । ବାଣିଜ୍ୟରେ ସ୍ନାତକ (ବି.କମ୍.) ପାସ୍ କରିଥିବା ଆବେଦନକାରୀ ଏହି ପଦବୀ ପାଇଁ ଆବେଦନ କରିଥିଲେ । ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ଆବେଦନକାରୀ କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ (ସିବିଟି) ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆବେଦନକାରୀଙ୍କ ପ୍ରାର୍ଥିତ୍ବ ନାକଚ କରାଯାଇ ତାଙ୍କୁ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦିଆଯାଇଥିଲା । ସ୍ନାତକରେ ବାଧ୍ୟତାମୂଳକ ଦୁଇଟି ବିଷୟ ଆବେଦନକାରୀଙ୍କ ନଥିବାରୁ ତାଙ୍କ ପ୍ରାର୍ଥିତ୍ବ ନାକଚ ହୋଇଥିଲା ।
ଏଭଳି ନିଷ୍ପତ୍ତିକୁ ବିରୋଧ କରି ଆବେଦନକାରୀ ଦର୍ଶାଇଥିଲେ ଯେ, ବିଜିନେସ୍ ଇକୋନୋମିକ୍ସ ଓ କମ୍ୟୁନକେଟିଭ୍ ଇଂରାଜୀ ବିଷୟ ରଖି ସେ ସ୍ନାତକ ପାସ କରିଥିଲେ । ତେଣୁ ନିଯୁକ୍ତି ବିଜ୍ଞପ୍ତିରେ ଉଲ୍ଲେଖ ଥିବା ଇଂରାଜୀ ଓ ଇକୋନୋମିକ୍ସ ବିଷୟରେ ଆବେଦନକାରୀ ପାସ୍ କରିଛନ୍ତି ବୋଲି ଗ୍ରହଣ କରାଯିବା କଥା । କିନ୍ତୁ ଏପରି କରା ନଯାଇ ବେଆଇନ ଭାବେ ପ୍ରାର୍ଥିତ୍ବ ତାଙ୍କର ଖାରଜ କରାଯାଇଥିଲା । ଏଭଳି ବ୍ୟବସ୍ଥା ଦ୍ବାରା ବାଣିଜ୍ୟ ସ୍ନାତକ ଡିଗ୍ରିଧାରୀ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡିବା ନିଶ୍ଚିତ ବୋଲି ଆବେଦନକାରୀ ଦର୍ଶାଇଥିଲେ । ଗଣଶିକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଥିଲା ଯେ ନିଯୁକ୍ତି ବିଜ୍ଞପ୍ତିରେ ଉଲ୍ଲେଖ ଥିବା ବିଷୟଗୁଡିକ ଭିତରେ ବିଜିନେସ୍ ଇକୋନୋମିକ୍ସ ଓ କମ୍ୟୁନକେଟିଭ୍ ଇଂରାଜୀ ନଥିଲା । ତେଣୁ ଆବେଦନକାରୀଙ୍କ ପ୍ରାର୍ଥିତ୍ବ ଗ୍ରହଣୀୟ ନୁହେଁ । ହାଇକୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କହିଛନ୍ତି ଯେ କମ୍ୟୁନିକେଟିଭ ଇଂରାଜୀ ଓ ଇଂରାଜୀ ଏବଂ ଇକୋନୋମିକ୍ସ ବିଷୟ ଓ ବିଜିନେସ୍ ଇକୋନୋମିକ୍ସ ସମାନ । ତେଣୁ ଆବେଦନକାରୀ ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତ ଅନୁସାରେ ଯୋଗ୍ୟ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ