କଟକ : କଟକ ସହରରେ ବିପର୍ଯ୍ୟସ୍ତ ରାସ୍ତାଘାଟ । ସହରରେ ଚାଲିଛି ଅନେକ ପ୍ରକଳ୍ପର କାମ । କେବେ ଏହି ପ୍ରକଳ୍ପ ଶେଷ ହେବ ସେନେଇ ବାରମ୍ବାର ତାରିଖ ବଦଳାଯାଉଛି । ଫଳରେ ସହରରେ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଛି । ଯାହାକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି ।
ସହରରେ କେବଳ କାଗଜ କଲମରେ କାମ ହେଉଛି । ଯାହାକୁ ନେଇ ପ୍ରଶାସନ ଉପରେ ହାଇକୋର୍ଟ ବିରକ୍ତି ପ୍ରକାଶ କରିବା ସହ କଟକ ଜିଲ୍ଲାପାଳ, ସିଏମସି କମିଶନର, ଯାଇକା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ପାଇଁହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ‘ଜଣେ ନାଗରିକ ଦେଉଥିବା ଟିକସ ଅଞ୍ଚଳର ଉନ୍ନୟନ, ବିକାଶ ପାଇଁ ଖର୍ଚ୍ଚ ହେବା ଉଚିତ । ଏହାଦ୍ବାରା ଜଣେ ନାଗରିକ ଏକ ସୁସ୍ଥ ବାତାବରଣ ମଧ୍ୟରେ ବଞ୍ଚି ପାରିବ । କିନ୍ତୁ କଟକ ସହରରେ ରାସ୍ତାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ । ଅଳିଆ ଆବର୍ଜନାକୁ ଭଲ ଭାବରେ ସଫା କରାଯାଉନାହିଁ । ଏମିତିକି ଠିକ ଭାବେ ପାନୀୟ ଜଳର ଯୋଗାଣ କରାଯାଉନାହିଁ ।’
ସେହିପରି ସହରର ବିଶୋଧନ ମଧ୍ୟ କରାଯାଉନାହିଁ । ଯାହାକି ଜଣେ ସାଧାରଣ ନାଗରିକର ମୌଳିକ ଆବଶ୍ୟକତା ବୋଲି କୋର୍ଟ ମତ ଦେଇଛନ୍ତି । ତେବେ ଦୁର୍ଗାପୂଜା ଭିତରେ କଟକ ସହରର ସମସ୍ତ ରାସ୍ତାଘାଟକୁ ଶୀଘ୍ର ମରାମତି କରି ଏହାର ରକ୍ଷଣାବେକ୍ଷଣ କରିବାକୁ ହାଇକୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୌସୁମୀ ସମୟ ଶେଷ ହୋଇଯାଇଥିବାରୁ ରାସ୍ତାଘାଟ ମରାମତି ଲାଗି ତ୍ବରିତ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି । କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ପ୍ରସଙ୍ଗକୁ ନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ବିଚାରପତି ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ