କଟକ: ଚୌଦ୍ବାର ଅଞ୍ଚଳରୁ ଏକ ଟ୍ରକରୁ ହାର୍ଡକୋକ ଲୁଟ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ତାଙ୍କ ଠାରୁ 2ଶହ ବ୍ୟାଗ ହାର୍ଡକେୋକ, ଗୋଟିଏ ଟାଟା ଏସି ଓ ବୋଲେରୋ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି କେନ୍ଦ୍ରାପଡାର ଧନଞ୍ଜୟ ପାତ୍ର। ଗତ 19 ତାରିଖରେ କେନ୍ଦ୍ରାପଡା ପାଟକୁରା ଥାନା ବନ୍ଧସାହିର ସୁଧିର ସାମଲଙ୍କ ଏକ ଟ୍ରକ ଯୋଗେ ପାରାଦୀପରୁ ହାର୍ଡକୋକ ବୋଝେଇ ହୋଇ ଥେରୁବାଲି ଯାଉଥିଲା । ହେଲେ ଟ୍ରକଟି ନିଦ୍ଧାରିତ ସ୍ଥାନରେ ପହଞ୍ଚି ନ ଥିଲା। ଏହାପରେ ଟ୍ରକ ମାଲିକ ଡ୍ରାଇଭରଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ତାହା ସମ୍ଭବ ହୋଇନଥିଲା।
ଏହାପରେ ଟ୍ରକ ମାଲିକ ବହୁ ଖୋଜାଖୋଜି କରିବା ପରେ ଟ୍ରକଟିକୁ ଚୌଦ୍ବାର ଜଳକଣାଠାରେ ପାଇଥିଲେ। ହେଲେ ସେଥିରେ ଡ୍ରାଇଭର କି ହାର୍ଡକୋକ୍ ନଥିବା ଦେଖିବାକୁ ପାଇଥଲେ। ଏନେଇ ଟ୍ରକ ମାଲିକ ଚୌଦ୍ବାର ଥାନାରେ ଅଭିଯୋଗ କରିଥଲେ। ଏହାପରେ ପୋଲିସ ଖୋଳତାଡ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିଲା। ମାନସ ଜେନା ନାମରେ ଗାଡି ଚଳାଉଥିବା ଡ୍ରାଇଭରର ଅସଲି ନାଁ ଧନଞ୍ଜୟ ପାତ୍ର ବୋଲି ପୋଲିସ ତଦନ୍ତରୁ ଜଣାପଡିଥିଲା। ଗିରଫ ହୋଇଥିବା ଡ୍ରାଇଭର ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରି ଏଭଳି ଅପରାଧ ଘଟାଉଥଲା।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ