କଟକ: ପ୍ରତିଷେଧକମୂଳକ ଅଟକ, ଜଣେ ବ୍ୟକ୍ତିକୁ ତାର ପୂର୍ବ କାର୍ଯ୍ୟ ପାଇଁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ନୁହେଁ। ଏହା ସଂପୃକ୍ତ ବ୍ୟକ୍ତିକୁ କୌଣସି କାର୍ଯ୍ୟ କରିବାରୁ ରୋକିବା ପାଇଁ । ଏନ୍ଏସ୍ଏ (ଜାତୀୟ ନିରାପତ୍ତା ଆଇନ)ରେ ଜାରି ଅଟକ ନିର୍ଦ୍ଦେଶକକୁ ଚାଲେଞ୍ଜ କରି ଦାଏର ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି କହିଛନ୍ତି ।
ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଛନ୍ତି ପ୍ରତିଷେଧମୂଳକ ଅଟକ ଏକ ବ୍ୟତିକ୍ରମ । ଏହା ସାଧାରଣ ପ୍ରକ୍ରିୟାଠାରୁ ଭିନ୍ନ ଓ ଏଥିପାଇଁ ସୀମିତ ଉଦ୍ଦେଶ୍ୟ ନେଇ ସମ୍ବିଧାନର ଧାରା ୨୩(୩)(ବି) ମଞ୍ଜୁରୀ ଦେଇଛି । ପ୍ରତିଷେଧକମୂଳକ ଅଟକ ସଂପର୍କିତ କ୍ଷମତା ସତର୍କତାର ସହିତ ଓ ଯତ୍ନଶୀଳ ହୋଇ ପ୍ରୟୋଗ କରାଯିବା ଉଚିତ । ସାମ୍ବିଧାନିକ ବ୍ୟବସ୍ଥାରେ ଏହି କ୍ଷମତା ପ୍ରୟୋଗ କରୁଥିବା ବ୍ୟକ୍ତି ଘଟଣାର ସ୍ଥିତିକୁ ଭଲ ଭାବେ ବୁଝିବା ଦରକାର । ବିଚାରବୋଧ ସହିତ ଏହି ପ୍ରସଙ୍ଗରେ ଦାୟିତ୍ବ ସଂପାଦନ କରାଯିବା ଉଚିତ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି । ଏଥି ସହିତ ଆବେଦନକାରୀ ସେକ୍ ମାବୁଡ୍ ଓରଫ ମାମୁଡଙ୍କୁ ଏନ୍ଏସ୍ଏରେ ଅଟକ ସଂପର୍କିତ ୨୦୨୦ ଫେବ୍ରୁଆରି ୨୦ର ନିର୍ଦ୍ଦେଶକୁ ଖଣ୍ଡପୀଠ ରଦ୍ଦ କରିଛନ୍ତି।
ମମାଲାର ବିବରଣୀରୁ ପ୍ରକାଶ, ଆବେଦନକାରୀଙ୍କୁ ୨୦୧୯ ଅକ୍ଟୋବର ୧୭ରେ ରୁଜୁ ଏକ ମାମଲାରେ ଗିରଫ କରାଯାଇ ବାଲେଶ୍ବର ଜେଲରେ ବିଚାରବିଭାଗୀୟ ହାଜତରେ ରଖାଯାଇଥିଲା। ଆବେଦନକାରୀ ୨୦୧୩ରୁ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ରହିଥିବାବେଳେ ତାଙ୍କୁ ଏନ୍ଏସ୍ଏରେ ଅଟକ ରଖାଯିବା ଆବଶ୍ୟକ ଦର୍ଶାଇ ବାଲେଶ୍ବର ଏସ୍ପି ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖିଥିଲେ। ଏହାପରେ ୨୦୨୦ ଫେବ୍ରୁଆରିରେ ଆବେଦନକାରୀଙ୍କୁ ଏନ୍ଏସ୍ଏରେ ଅଟକ ପାଇଁ ବାଲେଶ୍ବର ଜିଲ୍ଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଥିଲେ।
ଏହି ନିର୍ଦ୍ଦେଶକୁ ରାଜ୍ୟ ସରକାର ଫେବ୍ରୁଆରି ୨୦ରେ ଅନୁମୋଦନ ଦେଇଥିଲେ । ପ୍ରଥମେ ତାଙ୍କୁ ତିନିମାସ ପାଇଁ ଅଟକ ରଖାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅଟକ ଅବଧି ବୃଦ୍ଧି କରାଯାଇଥିଲା । ଏନ୍ଏସ୍ଏରେ ଅଟକ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେ ଦର୍ଶାଇଥିଲେ ଯେ ତାଙ୍କ ବିରୋଧରେ ଯେଉଁ ସବୁ ଅପରାଧିକ ମାମଲା ରହିଛି ବୋଲି ଦର୍ଶାଯାଇଛି ସେଥିମଧ୍ୟରୁ କେତେକରେ ସେ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛନ୍ତି । ଏଥି ସହିତ ସେ ଜେଲରୁ ବାହାରିବା ପରେ କୌଣସି ଅପରାଧିକ କାର୍ଯ୍ୟରେ ସଂପୃକ୍ତ ହେବାର କିଛି ତଥ୍ୟ ନାହିଁ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ