କଟକ: କମିଶନରେଟ ପୋଲିସକୁ ମିଳିଲା ସଫଳତା । ଗିରଫ ହେଲା ଅପରାଧୀ ଡି ବ୍ରଦର୍ସଙ୍କ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁ । 2016 ମସିହାରେ ବହୁ ଚର୍ଚ୍ଚିତ ଓମ୍ ଓ ଦିପୁ ହତ୍ୟାକାଣ୍ଡ ପରେ 5 ବର୍ଷ ହେଲା ପୋଲିସକୁ ଚକମା ଦେଇ ଫେରାର ରହିଥିଲା ଦିଲୁ । ତେବେ ଆଜି(ସୋମବାର) ଦିଲୁକୁ ରାୟଗଡ଼ାରୁ ଗିରଫ କରିଛି କଟକ ପୋଲିସ । ଦିଲୁକୁ ଧରିବା ପାଇଁ କଟକ କମିଶନରେଟ ପୋଲିସ ତତ୍ତ୍ବାବଧାନରେ ଏକ ସ୍ପେଶାଲ ଟିମ ଗଠନ ହୋଇଥିଲା ।
ଏହି ଟିମ୍ ତଦନ୍ତ କରିବା ବେଳେ ରାୟଗଡ଼ାରେ ଦିଲୁ ରହିଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା । ଧଳସାମନ୍ତ ଭ୍ରାତା ଦ୍ବୟଙ୍କ ଘନିଷ୍ଠ ସହଯୋଗୀ ହେଉଛି ଦିଲୁ । ଟେଣ୍ଟର ଫିକ୍ସିଂ କରିବା, ବଟି ଆଦାୟ କରିବା,ଏହାସହ ଧଳସାମନ୍ତ ଭ୍ରାତାଙ୍କ ଟେଣ୍ଡର କଥା ବୁଝୁଥିଲା । ତା ନାମରେ ଚଉଳିଆଗଞ୍ଜ ଥାନାରେ 4ରୁ ଅଧିକ ମାମଲା ରହିଛି ।
ଗିରଫ ସମୟରେ ଦିଲୁ ନିକଟରୁ ଗୋଟିଏ ବନ୍ଧୁକ , 6 ରାଉଣ୍ଡ ଗୁଳି ଓ 3 ଟି ମୋବାଇଲ ଜବତ କରିଛି ପୋଲିସ । 2016 ମସିହାରେ ଓମ ଓ ଦିପୁ ନାମକ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ସେହି ସମୟରେ ଏହି ହତ୍ୟାକାଣ୍ଡ ଚର୍ଚ୍ଚାରେ ରହିଥିଲା । ଘଟଣା ପରେ ଫେରାର ଥିଲା ଦିଲୁ । ତେବେ ଏହି ଦିଗରେ ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ପୋଲିସ କମିଶନର । ଡି ବ୍ରଦର୍ସ ଗିରଫ ହେବାପରେ ସେମାନଙ୍କୁ ବିଭିନ୍ନ ଅପରାଧିକ କାର୍ଯ୍ୟାକଳାପରେ ସହଯୋଗ କରୁଥିବା ୯ ଜଣ ପୋଲିସ ସ୍କାନରରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଦିଲୁ ଜଣେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।
ବଟି ଆଦାୟ, ଟେଣ୍ଡର ଫିକ୍ସିଂ ବା ଏଭଳି କୌଣସ ଅପରାଧିକ କାର୍ଯ୍ୟକଳାପକୁ ଆଦୌ ପ୍ରଶୟ ଦିଆଯିବ ନାହିଁ । ଏଥିପ୍ରତି କମଶନରେଟ ପୋଲିସ ଯଥେଷ୍ଟ ସଚେତନ ରହିଛି ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ