କଟକ: କଟକ ନୟାସଡ଼କସ୍ଥିତ ଆଇଆଇଏଫଏଲ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି କଟକ ପୋଲିସ। ଏହି ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟଙ୍କ ସମେତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ୩ କେଜି ସୁନା, ୫ ଲକ୍ଷ ଟଙ୍କା ଗୋଟିଏ ସୌଖିନ କାର ଓ ଦୁଇଟି ବାଇକ ଜବତ କରିଛି ପୋଲିସ। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।
ଆଇଆଇଏଫଏଲ ସଂସ୍ଥାର କର୍ମଚାରୀ ଲାଲା ଅମ୍ରିତ ରାୟ ଏହି ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ବିଭିନ୍ନ ଉପାୟରେ ପୂର୍ବରୁ ଏମାନେ ଲୋକଙ୍କୁ ଠକି ଚାଲିଥିଲେ। ଯେଉଁ ଲୋକ ସଂସ୍ଥାକୁ ଋଣ ପରିଶୋଧ କରିବାକୁ ଆସୁଥିଲେ ସେମାନଙ୍କ ନାମକୁ ଏହି ଅଭିଯୁକ୍ତମାନେ ଅଫିସ କମ୍ପ୍ୟୁଟରରୁ ହଟାଉ ନଥିଲେ। ଏହାସହ ବିଭିନ୍ନ ଛଦ୍ମ ନାମରେ ଋଣ ଉଠାଇ ବିଳାସ ଜୀବନ ବିତାଉଥିବା ଅଭିଯୋଗ। ସମସ୍ତ ଘଟଣାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା ଲାଲା ଅମ୍ରିତ ରାୟ। ଲାଲା ନାମରେ ପୁର୍ବରୁ ମଙ୍ଗଳାବାଗ ଥାନାରେ ମାମଲା ରହିଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ମହିଳା ମଧ୍ୟ ସାମିଲ ରହିଥିବା ନେଇ ସୂଚନା ମିଳିଛି।
ହଡପ ଟଙ୍କାରେ ଲାଲା ବିଳାସପୂର୍ଣ ଜୀବନ ବିତାଉଥିଲା। ଅଡିଟ ଫାଙ୍କିବା ପାଇଁ ଏହି ଲୁଟର ଯୋଜନା କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଗ୍ରାହକ ମାନେ ଯେଉଁ ସୁନା ରଖୁଥିଲେ ସେଗୁଡିକୁ ଅନ୍ୟ ସଂସ୍ଥାରେ ରଖି ଟଙ୍କା ଋଣ ନେଉଥିଲେ ଏହି ଅଭିଯୁକ୍ତ। ଅଭିଯୁକ୍ତ ନାମରେ ବିଭିନ୍ନ ନକଲି ବ୍ୟାଙ୍କ ଆକାଉଣ୍ଟ ରହିଛି। ସମସ୍ତ ଆକାଉଣ୍ଟର ଟ୍ରାଞ୍ଜାକ୍ସନ ଉପରେ ତଦନ୍ତ ଚଳାଇଛି ପୋଲିସ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ