କଟକ: ମହାନଗର ନିଗମର ମେୟର ଆସନ ପାଇଁ ଗତକାଲି (ବୁଧବାର) ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସରଗରମ ହୋଇଉଠିଛି ସହରର ରାଜନୀତି । ପାଖାପାଖି 3 ବର୍ଷ ପରେ ମହାନଗର ନିଗମ ନିର୍ବାଚନ (Cuttack Municipal Corporation Mayor Election) ଅନୁଷ୍ଠିତ ହେବାକୁ ଯାଉ ଥିବାବେଳେ ଏହି ନିର୍ବାଚନରେ ପ୍ରଥମ ଥର ଲାଗି ମେୟରଙ୍କୁ ପ୍ରତ୍ୟକ୍ଷ ଭବେ ବାଛିବେ ଲୋକେ ।
ତେବେ କଟକ ମେୟର ଆସନଟି ଅଣସଂରକ୍ଷିତ ଥିବାରୁ ଏହି ପଦବି ହାସଲ କରିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ପ୍ରାୟତଃ ଶେଷ କରିଛନ୍ତି । କୌଣସି ଦଳ ନିଜର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିଲେ ମଧ୍ୟ ପୂର୍ବ ଅପେକ୍ଷା ଏବେ ପ୍ରାର୍ଥୀମାନଙ୍କ ଚେହେରା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । BJD ପକ୍ଷରୁ ଅଭିନେତା ଅରିନ୍ଦମ ରାୟଙ୍କୁ ମେୟର ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଯୋର ଧରିଛି । ବେଶ କିଛି ବର୍ଷ ଧରି ଦଳର ଷ୍ଟାର ପ୍ରଚାରକ ଭାବେ ଦାୟୀତ୍ବ ତୁଲାଇ ଆସୁଥିବା ଅରିନ୍ଦମଙ୍କୁ ଗତକାଲି ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ପଦ ମଳିଛି ।
ସେହିପରି BJP ନିଜ ଦଳର କୋଷାଧ୍ୟକ୍ଷ ତଥା 'ଓପେକା'ର ସାଧାରଣ ସମ୍ପାଦକ ବିନୋଦ ଦାସଙ୍କୁ ମେୟର ପ୍ରାର୍ଥୀ କରି ମୈଦାନକୁ ଓହ୍ଲାଇବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଅନ୍ୟପଟେ କଂଗ୍ରେସ କ୍ୟାମ୍ପ ମେୟର ପ୍ରାର୍ଥୀ ହେବା ପାଇଁ ଅନେକ ନେତା ଆଶା ବଳାଇ ଥିବାବେଳେ CMC ର ପୂର୍ବତନ କର୍ପୋରେଟର ତଥା କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କ ନାଁ ଚର୍ଚ୍ଚାର ସବୁଠାରୁ ଆଗରେ ରହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ