କଟକ: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭର ବହ୍ନି ଦେଖିବାକୁ ମିଳିଛି ( Agnipath Scheme Protest In Cuttack) । ଓଡ଼ିଶା ମଧ୍ୟ ଏଥରୁ ବର୍ତ୍ତି ପାରିନାହିଁ । ସିଲ୍ଭର ସିଟି କଟକରେ ଏହାର ଚିତ୍ର ଦେଖିବାକୁ ମିଳିଥିଲା । ଆନ୍ଦୋଳନକାରୀ ଅଚାନକ ବାହାରି କଟକରେ ହଙ୍ଗାମା କରିବା ଆରମ୍ଭ କରି ଦେଇଥିଲେ । ଘଟଣାସ୍ଥଳରେ ସଙ୍ଗେସଙ୍ଗେ କମିଶନରେଟ ପୋଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ କାବୁ କରିଥିଲା ।
ବିକ୍ଷୋଭକାରୀଙ୍କୁ କାବୁ କରିବା ପରେ ସେମାନଙ୍କୁ କଟକ ଡିସିପି ପିନାକ ମିଶ୍ର ତାଙ୍କୁ ହିଂସାତ୍ମକ କାର୍ଯ୍ୟାକଳାପ ନକରିବାକୁ ବୁଝାଉଥିବା ଦେଖିବାକୁ ମିଳିଛି । ସେ କହିଥିଲେ ଯେ, "ବିକ୍ଷୋଭ କରୁଛନ୍ତି ସେଥିରେ ଆମେ କିଛି କହୁନୁ । କିନ୍ତୁ ତୁମେ ଠେଙ୍ଗାବାଡ଼ି ଧରୁଛ, ବିଶୃଙ୍ଖଳା କରୁଛ, ଆଇନକୁ ହାତକୁ ନେଉଛ, ତାହା ଦୟାକରି କରନାହିଁ । ତୁମ ଲମ୍ବା କ୍ୟାରିଅର ଅଛି ଆଇନ ହାତକୁ ନେଲେ ତୁମ ନାମରେ ପୋଲିସ କେସ୍ ହେବ, ତୁମ କ୍ୟାରିଅର ଉପରେ ପ୍ରଭାବ ପଡ଼ିବ । ତୁମେ ଜମା ଆଇନ ହାତକୁ ନିଅନାହିଁ । ତମର ଯାହା କହିବାର ଅଛି, ଯାହା ଅଭିଯୋଗ ଅଛି ତାହା ଶୃଙ୍ଖଳା ରକ୍ଷା କରି କୁହ । ଲୋକଙ୍କୁ ହଇରାଣ କରନାହିଁ କି ଭଙ୍ଗାରୁଜା କରନାହିଁ । ଆମେ ତୁମ କ୍ୟାରିଅର ପ୍ରତି ଆଞ୍ଚ୍ ଆସିବାକୁ ଦେବୁନାହିଁ ।"
ସଶସ୍ତ୍ର ବଳରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ଚୁ୍କ୍ତିଭିତ୍ତିକ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଉଛି । ଦିନକୁ ଦିନ ହିଂସାତ୍ମକ ରୂପ ନେଉଛି ଆନ୍ଦୋଳନ । ବିହାରରୁ ମୁଣ୍ଡ ଟେକିଥିବା ବିକ୍ଷୋଭ ବହ୍ନି ଦେଶରେ ଅନେକ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଠିକା ନିଯୁକ୍ତି ପ୍ରତ୍ୟାହାର ଦାବିରେ ହରିୟାଣା, ରାଜସ୍ଥାନ ଉତ୍ତରପ୍ରଦେଶଠୁ ନେଇ ଓଡିଶା ଓ ତେଲେଙ୍ଗାନାରେ ଯୋଜନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିଭିନ୍ନ ରେଳ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ସହ ଟ୍ରେନରେ ନିଆଁ ଲଗାଇଛନ୍ତି ବିକ୍ଷୋଭକାରୀ ।