କଟକ: ସିଲଭର ସିଟିରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଘରୁ ବାହାରିବା ମଧ୍ୟ ହୋଇ ପଡୁଛି କଷ୍ଟ । ଖରାକୁ ନେଇ ଏକପ୍ରକାର ଲୋକ ମାନଙ୍କ ମଧ୍ୟରେ ପଶିଛି ଛନକା । ବାହାରକୁ ବାହାରିଲେ ଅଂଶୁଘାତ ହେବାର ସମ୍ଭାବନା ମଧ୍ୟ ରହିଛି । ଏହି ପ୍ରଚଣ୍ଡ ରୁଦ୍ରତାପର ସଠିକ ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଭାଗକୁ ସଜାଗ ରହିବାକୁ ଜିଲ୍ଲାପାଳ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି ।
ଯେପରି ଅଂଶୁଘାତ ସମୟରେ କାହାର ପ୍ରାଣ ହାନି ନହେବ ତାହା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ବିଶେଷକରି ଲୋକଙ୍କ ମଧ୍ୟରେ ସଚେତନତା ଓ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଅଧିକରୁ ଅଧିକ ସଜାଗ ରହିବା ପାଇଁ କହିଛନ୍ତି ସେ । ଏହାସହ ସମଗ୍ର ଜିଲ୍ଲାରେ ଜଳ ଯୋଗାଣ ଉପରେ ଫୋକସ ରଖିବ କଟକ ଜିଲ୍ଲା ପ୍ରଶାସନ। ଏହି ବୈଠକରେ ଜିଲ୍ଲାର ଜଳ ଯୋଗାଣ ବିଭାଗ, ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧକାରୀ ସମେତ ବିଭିନ୍ନ ବିଭାଗର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ