କଟକ: ବାତ୍ୟା ଜୱାଦର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ଏହି ବାତ୍ୟା ଯୋଗୁଁ ପବନ ସାଙ୍ଗକୁ ପ୍ରବଳ ମାତ୍ରାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛି । ଜିଲ୍ଲାରେ BDO ଏବଂ ତହସିଲଦାରମାନଙ୍କୁ ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।
ଗ୍ରାମାଞ୍ଚଳର ଚାଷୀ ଯେଉଁମାନେ ଧାନ କାଟି ବିଲରେ ଗଦା କରି ରଖିଛନ୍ତି ସେମାନଙ୍କୁ ଧାନ ଘରକୁ ନେଇଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହାଛଡ଼ା ତଳିଆ ଅଞ୍ଚଳରେ ରହୁଥିବା ଲୋକ ତଥା କଚ୍ଚା ଘରେ ରହୁଥିବା କୋକଙ୍କୁ ଉଚ୍ଚ ତଥା ସୁରକ୍ଷିତ ସ୍ଥାନକୁ ବାତ୍ୟା ପୂର୍ବରୁ ସ୍ଥାନ୍ତାନ୍ତର କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ ବାତ୍ୟା ସମୟରେ ଖାଦ୍ୟ ପଦାର୍ଥ ଯୋଗାଇ ଦେବାକୁ ଯୋଜନା କରାଯାଇଛି ।
ସମ୍ପୂର୍ଣ୍ଣ ରୂପେ କଟକ ଜିଲ୍ଲା ପ୍ରଶାସନ ବାତ୍ୟାର ସଠିକ ମୁକାବିଲା ପାଇଁ ପ୍ରସ୍ତୁତ ଅଛି । ବିଶେଷ କରି ଚାଷ ଉପରେ ଫୋକସ କରୁଛି ପ୍ରଶାସନ । କାରଣ କଟକ ଜିଲ୍ଲାରେ ହେକ୍ଟର ହେକ୍ଟର ଜମିରେ ଧାନ ଫସଲ ଅମଳ ଯୋଗ୍ୟ ହୋଇ ରହିଛି । ଏହାଛଡ଼ା ଆଠଗଡ଼, ବାଙ୍କୀ ଓ ଅନ୍ୟାନ୍ୟ ଅଞ୍ଚଳରେ ପରିବା ଚାଷ ମଧ୍ୟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଯଥା ପୂର୍ବକ ଯୋଜନା ହାତକୁ ନିଆଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ