କଟକ: ଚଉଳିଆଗଞ୍ଜ ଷଷ୍ଠ ବାଟାଲିଅନ ନିକଟରେ ଥିବା ଏକ ଜମିକୁ ବସ୍ତି ବାସିନ୍ଦାଙ୍କୁ ସ୍ଥାନନ୍ତର କରିବା ନେଇ ବିବାଦ ଘନେଇବାରେ ଲାଗିଛି। ଉକ୍ତ ଜମି ବସ୍ତି ବାସିନ୍ଦାଙ୍କୁ ଦେବାକୁ ନେଇ ବିରୋଧ କରିଛି ଚଉଳିଆଗଞ୍ଜ ସୁରକ୍ଷା ମଞ୍ଚ। ସେପଟେ ଜିଲ୍ଲା ପ୍ରଶାସନ ସେହି ସ୍ଥାନରେ ହିଁ ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି । ଏହାକୁ ନେଇ ଚଉଳିଆଗଞ୍ଜ ସୁରକ୍ଷା ମଞ୍ଚ ଓ ଆରଡିସିଙ୍କ ମଧ୍ୟରେ ବୈଠକ ହୋଇଥିଲା।
ଆଜି(ଗୁରୁବାର) ବସ୍ତି ବାସିନ୍ଦା ସ୍ଥାନାନ୍ତର ବିବାଦକୁ ନେଇ ଆରଡିସି ଓ ଚଉଳିଆଗଞ୍ଜ ସୁରକ୍ଷା ମଞ୍ଚ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଆରଡିସିଙ୍କ କୌଣସି ସର୍ତ୍ତ ମାନିବାକୁ ପ୍ରସ୍ତୁତ ହୋଇନି ଚଉଳିଆଗଞ୍ଜ ସୁରକ୍ଷା ମଞ୍ଚ। ଆରଡିସି ଜନମତକୁ ବିରୋଧ କରି କାର୍ଯ୍ୟ କରୁଛନ୍ତି। ସୁରକ୍ଷା ମଞ୍ଚର କୌଣସି କଥା ଶୁଣିବାକୁ ଆରଡିସି ପ୍ରସ୍ତୁତ ନଥିବା ଅଭିଯୋଗ ହୋଇଛି । ଚଉଳିଆ ଗଞ୍ଜରେ ବସ୍ତି ସ୍ଥାପନ ହେଲେ ଆନ୍ଦୋଳନ ହେବ ବୋଲି ଧମକ ଦେଇଛନ୍ତି ଚଉଳିଆଗଞ୍ଜ ସୁରକ୍ଷା ମଞ୍ଚ ପ୍ରତିନିଧି ଚିରଞ୍ଜୟ ସାହୁ।
ସେପଟେ ମାଲଗୋଦାମ ଓ ଛତ୍ରବଜାର ଅଞ୍ଚଳରୁ କିଛି ବସ୍ତି ବାସିନ୍ଦାଙ୍କୁ ସାମୟିକ ଭାବରେ ଓଏମପି ପାଖରେ ଜମି ଦେବାକୁ ସ୍ଥିର ହୋଇଥିବା କଥା କହିଛନ୍ତି କଟକ ଆରଡିସି । କଟକର ଉନ୍ନତି ପାଇଁ କେତେକ ବଡ଼ ପ୍ରକଳ୍ପ ହାତକୁ ନିଆଯାଉଛି । ଏଥିପାଇଁ ଜିଲ୍ଲାବାସୀଙ୍କୁ କିଛି ତ୍ୟାଗ ମନୋବୃତ୍ତି ନେଇ ଏଥିରେ ସହଯୋଗ କରିବାକୁ କହିଛନ୍ତି ଆରଡିସି।
ଚଉଳିଆଗଞ୍ଜରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ନକଲେ ଆନ୍ଦୋଳନ କରିବାକୁ ଧମକ ଦିଆଯାଉଛି। ଏଥିପାଇଁ କେବଳ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ରୋକଠୋକ କହିଛନ୍ତି ବସ୍ତି ବାସିନ୍ଦା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ