କଟକ: କଟକ ଖାନ ନଗରରେ ୧୨ ଏକର ପ୍ରସ୍ତାବିତ ଜମି ଉପରେ ଅର୍ନ୍ତଜାତୀୟ ବସ ଟର୍ମିନାଲ ହେବା ପୂର୍ବରୁ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଗତକାଲି କଟକର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଖାନ ନଗର ଭଳି ସ୍ଥାନରେ ବସ ଟର୍ମିନାଲ ନିର୍ମାଣ ହେବାକୁ ନେଇ ସନ୍ଦେହ ପ୍ରକଟ କରିଥିବା ବେଳେ ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବାରବାଟୀ କଟକର ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ।
କଟକର ଲୋକସଭା ସାଂସଦ ହୋଇ ସେ ଯଦି କହୁଛନ୍ତି ଏହି ପ୍ରକଳ୍ପ ବାବଦରେ ମୁଁ ଅବଗତ ନାହିଁ ତାହା ହେଲେ ଏହା ଦୁଃଖ ଦାୟକ ବୋଲି କହିଛନ୍ତି ଦେବାଶିଷ । ଏଠାରେ ଏସସିବି ମେଡିକାଲ, ହାଇକୋର୍ଟ, ପୋଲିସ ହେଡ କ୍ୱାର୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକ ଥିବାରୁ ଏହି ସ୍ଥାନରେ ଏଭଳି ଜାତୀୟ ସ୍ତରର ପ୍ରକଳ୍ପ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି ।
ମୁଖ୍ୟମନ୍ତ୍ରୀଙ୍କର ଏହା କଟକବାସୀଙ୍କୁ ଏକ ଭେଟି ଆଉ ଯଦି ଏହି ଭେଟିକୁ ଆମେ ଗ୍ରହଣ କରିପାରୁନାହୁଁ ତାହା ହେଲେ ଢେର ଦୁଃଖଦାୟକ । ଜିଲ୍ଲାପାଳ ମଧ୍ୟ ସାଂସଦଙ୍କୁ ସେହି ପ୍ରକଳ୍ପ ଶିଳାନ୍ୟାସ ପାଇଁ ଡାକିଥିଲେ । ଆଜିର ସମୟରେ ଗୁଗୁଲ ମ୍ୟାପ ଦ୍ୱାରା ସବୁକିଛି କରାଯାଉଛି । ସେହି ସ୍ଥାନରେ କିଛି ଲୋକ ସରକାରୀ ଜାଗାକୁ ମାଡି ବସିଥିଲେ । ତେଣୁ, ସେହି ଜାଗାକୁ ଖାଲି କରାଯାଇ ଏଭଳି ଏକ ପ୍ରକଳ୍ପ କରାଯାଉଥିବାରୁ ଏଥିପାଇଁ ସହରବାସୀ ମୁଖ୍ୟମନ୍ତ୍ରୀଙ୍କୁ ବରଂ ଧନ୍ୟବାଦ ଦେବା କଥା ବୋଲି କହିଛନ୍ତି ଦେବାଶିଷ । ଏହି ଅତ୍ୟାଧୁନିକ ବସ ଟର୍ମିନାଲ ହେଲେ ସମସ୍ତେ ଏହା ଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ତେବେ ଇଏ ପ୍ରଥମ ଘଟଣା ନୁହେଁ ବରଂ ପୂର୍ବରୁ ସାଂସଦ ଅନେକ ଥର ଦଳ ବିରୋଧୀ ଟିପ୍ପଣୀ ଦେଇଛନ୍ତି ବୋଲି ଦେବାଶିଷ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ