କଟକ: କଟକରେ କିଭଳି ହେବ କୋଭିଡ ପରିଚାଳନା ? ସେ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସହ ପଦକ୍ଷେପ ନେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ସ୍ବତନ୍ତ୍ର ରଣନୀତି ଅବଲମ୍ବନ କରିବା ସହ କାର୍ଯ୍ୟସୂଚୀ ପ୍ରସ୍ତୁତ କରି ଭର୍ଚୁଆଲ ବୈଠକରେ ଆଲୋଚନା ମାଧ୍ୟମରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ବୈଠକରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପସ୍ଥିତରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।
ଏହି ବୈଠକରେ ଜିଲ୍ଳାରେ କରୋନାସ୍ଥିତି ସମ୍ପର୍କରେ ସାଂସଦ ଶ୍ରୀ ମହତାବ ସମୀକ୍ଷା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମଙ୍ଗଳବାର ବୈଠକରେ ରାଜ୍ୟର କୋରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଘୋଷଣା କରିଥିବା କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳରେ ସଂକ୍ରମଣ ହ୍ରାସ ନିମନ୍ତେ ଜନସଚେତନତା, ଆଶା କର୍ମୀଙ୍କ ଦ୍ଵାରା ଘରକୁ ଘର ସର୍ଭେ,ଟେଷ୍ଟ ସଂଖ୍ୟା ବୃଦ୍ଧି ଆଦିର ସଫଳ କାର୍ଯ୍ୟ କାରିତା ନେଇ ଅଲୋଚନା ହୋଇଥିଲା । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ଜିଲ୍ଲାରେ କୋଭିଡ ଟୀକାକରଣକୁ କିଭଳି ବ୍ୟାପକ କରାଯାଇପାରିବ,ଟୀକାକେନ୍ଦ୍ର ଗୁଡିକରେ ସାମାଜିକ ଦୂରତା ରକ୍ଷା କରି ପଞ୍ଜିକରଣ, କୋରୋନା ରୋଗୀ ଚିହ୍ନଟ ସହ ନମୁନା ସଂଗ୍ରହ, ଘରୋଇ ଆଇସୋଲେସନ ବ୍ୟବସ୍ଥା, କୋଭିଡ କେୟାର କେନ୍ଦ୍ରରେ ରୋଗୀ ଚିକିତ୍ସା, ଅମ୍ଳଜାନ ଯୋଗାଣ ତଥା ମୃତଦେହ ସତ୍କାର ପରିଚାଳନା ଆଦି ପ୍ରସଙ୍ଗରେ ଏହି ସମୀକ୍ଷାରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଦ୍ଵାରା ପାୱାର ପଏଣ୍ଟ ଜରିଆରେ ବିଭିନ୍ନ ତଥ୍ୟ ଉପସ୍ଥାପନ ସହ ବର୍ତ୍ତମାନ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠାର ଅଗ୍ରଗତି ଏବଂ ଏସ ସି ବି ମେଡିକାଲରେ ନୂତନ ପ୍ଲାଣ୍ଟ ପ୍ରତିଷ୍ଠା, ଟୀକାକରଣ ପାଇଁ କ୍ୟାମ୍ପ, ଆଇସିୟୁ ଶଯ୍ୟା ବୃଦ୍ଧି, ଅଧଘଣ୍ଟା ମଧ୍ୟରେ ମୃତ ଦେହ ବ୍ୟବଛେଦ ରିପୋର୍ଟ ତଥା ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ଅନୀଲ କୁମାର ସାମଲ ସୂଚନା ଦେଇଥିଲେ । ତେବେ କଟକରେ କୋଭିଡର ସଫଳ ମୁକାବୁଲା କରାଯିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ବୈଠକ ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧି, ସିଏମସି କମିଶନର, ଆରଡିସି ପ୍ରମୁଖ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ