କଟକ: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ ମାଧ୍ୟମରେ କରିବା ପାଇଁ ହାଇକୋର୍ଟରେ ଆଉ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । କମିଶନରେଟ ପୋଲିସର ସ୍ବତନ୍ତ୍ର ଦଳ ଘଟଣାର ଉପଯୁକ୍ତ ତଦନ୍ତ କରିବା ଭଳି ଆଶା ନଥିବା ମାମଲାରେ ଅଭିଯୋଗ ଆଣିଛନ୍ତି ଆବେଦନକାରୀ ।
ଆଇନଜୀବୀ ଗୌତମ ସିଦ୍ଦିକିଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଭୁବନେଶ୍ବରରେ 13 ବର୍ଷର ନାବାଳିକା ଗଣଦୁଷ୍କର୍ମ ଶିକାର ହେବା ନେଇ ଅଭିଯୋଗ ହେବା ପରେ ପୋଲିସ ଏତଲା ରୁଜୁ କରିଥିଲା । ଏହି ଘଟଣାରେ ପୋଲିସ କର୍ମଚାରୀ ଓ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ରହିଛି । ଏସ୍ଆରଟି ଗଠନ କରିଦେଇ ପୋଲିସ ଚୁପ ବସିବା ସହ କମିଶନରେଟ ପୋଲିସର ସ୍ବତନ୍ତ୍ର ଦଳ ଘଟଣାର ଉପଯୁକ୍ତ ତଦନ୍ତ କରିବ ବୋଲି ଆଶା ନଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ । ତେବେ ମାମଲାରେ ଗୃହବିଭାଗ, ପୋଲିସ ଡିଜି, ସିବିଆଇ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଗତ ଅଗଷ୍ଟ 30 ତାରିଖରେ ଜଣେ ମହିଳା ତାଙ୍କ ନାବାଳିକା ଝିଅକୁ ଗଣଦୁଷ୍କର୍ମର ଅଭିଯୋଗ ନେଇ ଭୁବନେଶ୍ବର ମହିଳା ଥାନାରେ ଏତଲା ଦାଏର କରିଥିଲେ । ଏହି ଘଟଣାରେ ମହିଳା ଥାନା ପୋଲିସ ଏକ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀଙ୍କୁ ଜେରା କରିଥିଲା । ଏହାସହ ଏଥିରେ ସଂପୃକ୍ତ ଥିବା ପୋଲିସ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିଥିବା ନେଇ ସୂଚନା ଦେଇଛନ୍ତି ଟ୍ବିନ ସିଟି କମିଶନର ସୁଧାଶୁଂ ଷଡ଼ଙ୍ଗୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ