କଟକ: ସଂକ୍ରମଣ ଯୋଗୁଁ ଜାନୁଆରୀ ୩୧ ଯାଏଁ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟରେ ପୂର୍ବପରି କାର୍ଯ୍ୟ ଚାଲିବ । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଅଗଷ୍ଟ ୨୧ ତାରିଖରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଏହି ଅବଧି ପାଇଁ ବଳବତ୍ତର ରହିବ ବୋଲି ଆଜି( ଶୁକ୍ରବାର) ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଫଳରେ ପୂର୍ବଭଳି ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲା ଶୁଣାଣି ଜାରି ରହିବ। ମାମଲା ଶୁାଣାଣି ପାଇଁ ତାଲିକାଭୁକ୍ତ ପ୍ରସଙ୍ଗରେ ଜରୁରୀ ସଂପର୍କିତ ସୂଚନା ଥିବା ମେମୋ ଇ-ଫାଇଲିଂ ମୋଡ୍/ଇ-ମେଲ୍/ଡ୍ରପ୍ ବକ୍ସ ମାଧ୍ୟମରେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ଆଗୁଆ ଦାଖଲ ହେବ । ଏନେଇ ଆଗୁଆ ପ୍ରତିପକ୍ଷଙ୍କୁ ଅବଗତ କରାଯିବ ବୋଲି ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା।
ଆଇନଜୀବୀ ଓ ପକ୍ଷମାନେ ଘରୁ କିମ୍ବା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଅଂଶ ଗ୍ରହଣ କରିବେ। ଯଦି ଶୁଣାଣି ସମୟରେ ଆଇନଜୀବୀ ଅନୁପସ୍ଥିତ ରୁହନ୍ତି ତେବେ ମାମଲାରେ କୈଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ। ହାଇକୋର୍ଟ ପରିସରରେ ମାମଲା ଶୁଣାଣିରେ ଅଂଶ ଗ୍ରହଣ ପାଇଁ କୈଣସି ବ୍ୟବସ୍ଥା ରହିବ ନାହିଁ। ଏଥି ସହିତ ରାଜ୍ୟର ସମସ୍ତ ସବ୍ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଓ ଟ୍ରିବୁନାଲର କୋର୍ଟ କାର୍ଯ୍ୟ ନେଇ ହାଇକୋର୍ଟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ପୂର୍ବର ଅଗଷ୍ଟ ୨୧ର ନିର୍ଦ୍ଦେଶନାମା ଅନୁସାରେ ଅନ୍ୟାଦେଶ ପର୍ଯ୍ୟନ୍ତ ନିମ୍ନ ଅଦାଲତ ଗୁଡିକ କାର୍ଯ୍ୟ ଜାରି ରହିବ। ବିଚାରାଧୀନ ବନ୍ଧୀଙ୍କ ମାମଲା, ପୁରୁଣା ଦେଓ୍ବାନୀ ମୋକଦ୍ଦମା (ସୁଟ୍), ଅପିଲ, ରିଭିଜନ୍ ଓ ପାରିବାରିକ ବିବାଦର ତ୍ବରିତ ଶୁଣାଣି ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ନିମ୍ନ ଅଦାଲତ/ଟ୍ରିବୁନାଲରେ ଏହି ସବୁ ମାମଲା ସହିତ ଅନ୍ୟ ସମସ୍ତ ପ୍ରକାର ମାମଲା ଶୁଣାଣିରେ ଅଂଶ ଗ୍ରହଣ ପାଇଁ ଆଇନଜୀବୀଙ୍କୁ ପ୍ରବର୍ତ୍ତାଇବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି। ମାମଲାରେ ଆଗୁଆ ଲିଖିତ ଯୁକ୍ତି ଦାଖଲ ପାଇଁ ଉତ୍ସାହିତ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ