କଟକ: OPSC ପରୀକ୍ଷା ପରିଚାଳନାରେ ବ୍ୟାପକ ତ୍ରୁଟି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଜଣେ ଆଶାୟୀ ପରୀକ୍ଷାର୍ଥୀ । ଥରେ କି ଦୁଇ ଥର ନୁହେଁ ବାରମ୍ବାର ତ୍ରୁଟି ହେଉଛି ବୋଲି ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ ରଜତ କୁମାର ମିଶ୍ର । ପ୍ରିଲିମିନାରିରେ ତାଙ୍କ ମାର୍କ କଟାଯାଇଥିବା ସହ ତ୍ରୁଟିଗତ ପରିଚାଳନା ପାଇଁ ତାଙ୍କ ଭବିଷ୍ୟତ ଖରାପ ହୋଇଥିବା ମଧ୍ୟ ସେ କହିଛନ୍ତି । ପ୍ରଶ୍ନ ପତ୍ରରେ ତ୍ରୁଟି, ମୂଲ୍ୟାୟନ ପ୍ରକ୍ରିୟାର ଓ ମେରିଟ ଲିଷ୍ଟ ପ୍ରକାଶନରେ ମଧ୍ୟ ତ୍ରୁଟି ହୋଇଛି । ଖାଲି ଏତିକି ନୁହେଁ ଗୋଟିଏ ବର୍ଷ ପରୀକ୍ଷାର ଫଳାଫଳ ପ୍ରକାଶ ନହେବା ପୂର୍ବରୁ ଆଉ ଗୋଟିଏ ପରୀକ୍ଷା କରାଇବା କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହା ବ୍ୟତୀତ ଆସନ୍ତା ୨୭ରେ ହେବାକୁ ଥିବା ୨୦୨୦ OAS ପ୍ରିଲିମିନାରି ପରୀକ୍ଷା ତାରିଖକୁ ପୁନଃ ନିର୍ଦ୍ଧାରଣ କରିବା ସହ ୨୦୧୯ ଓଏଏସ ପରୀକ୍ଷା ଫଳ ଶୀଘ୍ର ପ୍ରକାଶ କରିବା ପାଇଁ ସେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ସମୟରେ ସେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏପରି ପରିଚାଳନାଗତ ଅବହେଳା ବା ତ୍ରୁଟି ଯୋଗୁ ଅନ୍ୟ କାହାର ଭବିଷ୍ୟତ ଖରାପ ନ ହେଉ ବୋଲି ସେ ଗୁହାରି କରିଥିବା ଦେଖିବାକୁ ମିଳିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ