କଟକ: ବିଦେଶାଗତ ଅତିଥି ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଚିଲିକା ମଙ୍ଗଳାଯୋଡିରେ ମୋଟର ବୋଟ ଚଳାଚଳ ଉପରେ କଟକଣା ପ୍ରସଙ୍ଗ ଉପରେ ଆଜି ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠଦାୟର ମାମଲାର ଶୁଣାଣି କରିଛନ୍ତି । ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ନିର୍ଦ୍ଦେଶକଙ୍କ ଅତିରିକ୍ତ ସତ୍ୟପାଠ ଦାଖଲ ହୋଇଛି ।
ଏଠାରେ ନିର୍ଭରଶୀଳ ମତ୍ସଜୀବୀମାନଙ୍କର ଅନ୍ୟ କୌଣସି ବେଉସା ନ ଥିବାବେଳେ ପାରମ୍ପରିକ ବୋଟରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ବାରଣ ନ କରିବାକୁ ସତ୍ୟପାଠରେ ଆବେଦନ କରାଯାଇଛି । ସ୍ଥାନୀୟ ଅଞ୍ଚଳର ୪୨୦୦ ମତ୍ସ୍ୟଜୀବୀ ମଙ୍ଗଳାଯୋଡି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି । ମାନ୍ୟବର ହାଇକୋର୍ଟ ସେ ସମ୍ପର୍କରେ ବିଚାର କରିବାକୁ ପ୍ରାର୍ଥନା କରାଯାଇଛି । ହାଇକୋର୍ଟରେ ପୂର୍ବରୁ ଏହି ମାମଲାର ଶୁଣାଣି ସମୟରେ ମାର୍ଚ୍ଚ ୬ ତାରିଖରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକର ବିବରଣୀ ରାଜ୍ୟ ସରକାରଙ୍କ ତରଫରୁ ଅଦାଲତରେ ଦାଖଲ କରାଯାଇଥିଲା ।
ଏଥିସହିତ ମାମଲାର ଶୁଣାଣି ସମୟରେ ପୂର୍ବରୁ ଚିଲିକା ଡିଏଫଓ ହାଜର ହୋଇ ଦର୍ଶାଇଥିଲେ ଯେ, ଓଡିଶା ମେରାଇନ ଫିସିଙ୍ଗ ରେଗୁଲେସନ ଆକ୍ଟ ୧୯୮୧ର ସଂଶୋଧନ ତଥା ଦୃଢୀକରଣ କରାଯାଇ ମୋଟରବୋଟକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇପାରିବ । ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏହି ପ୍ରସଙ୍ଗରେ ପଦକ୍ଷେପ ନେଇପାରିବ । ମଙ୍ଗଳାଯୋଡି ଅଭୟାରଣ୍ୟ ହୋଇ ନ ଥିବାରୁ ମୋଟରବୋଟ ଚଳାଚଳ ନିଷେଧ କରାଯିବାରେ ସମସ୍ୟା ଦେଖା ଦେଇଛି ବୋଲି ସରକାରଙ୍କ ତରଫରୁ ପୂର୍ବରୁ ମଧ୍ୟ ଦର୍ଶାଯାଇଥିଲା ।
ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି(ବିଏନଏଚଏସ)ର ବିଶେଷଜ୍ଞ ମଧ୍ୟ ପୂର୍ବରୁ ଭର୍ଚୁଆଲ ମୋଡରେ ଉପସ୍ଥିତ ରହି ହାଇକୋର୍ଟରେ ନିଜ ମତ ରଖିଥିଲେ । ଏହା ସହିତ ମାମଲାରେ ପକ୍ଷଭୁକ୍ତ ହୋଇଥିବା ସ୍ଥାନୀୟ ମତ୍ସଜୀବୀଙ୍କ ତରଫରୁ ମଧ୍ୟ କେତେକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୨ ତାରିଖକୁ ଧାର୍ଯ୍ୟ ହୋଇଛି । ମଙ୍ଗଳାଯୋଡି ଅଞ୍ଚଳର ଦିବାକର ବେହେରାଙ୍କ ପକ୍ଷରୁ ଏହି ମାମଲା ହାଇକୋର୍ଟରେ ରୁଜ୍ଜୁ ହୋଇଥିବା ବେଳେ ଆଇନଜୀବୀ ଆଶିଷ ମିଶ୍ର ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ।
ଇଟିଭି ଭାରତ, କଟକ