କଟକ: ଶିବ ଶାଶ୍ବତ ସନାତନ। ଡମ୍ବୁରଧାରୀ ବାବାଙ୍କ ତାଣ୍ଡବ ନୃତ୍ୟ ଅତି ଭୟଙ୍କର। ତାଙ୍କ ତୃତୀୟ ନୟନର କ୍ରୋଧ ଅଗ୍ନିରେ ପୃଥିବୀ ଧ୍ବସଂ ହୋଇଯିବ। କୈଳାଶନିବାସୀ ଭୋଳାଙ୍କ ଦେହରେ ଭସ୍ମ,ମୁଣ୍ଡରେ ଜଟା ଓ ଜଟାରେ ଗଙ୍ଗା ପ୍ରବାହମାନ। ଶିବଙ୍କ ତପେ ବର ନହେଲେ କୋପେେ ବର। ଆଜି ଭୋଳାଙ୍କ ମହାପର୍ବ ମହାଶିବରାତ୍ରୀ । ଘଣ୍ଟଘଣ୍ଟା, ମନ୍ତ୍ର ଓ ହର ହର ମହାଦେବ ଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନପବନ।
କଟକ ମହାନଦୀ ପ୍ରାଙ୍ଗଣରେ ରହିଛି ହଜାର ବର୍ଷର ଶୈବପୀଠ ମଧ୍ୟରେ କଟକର ପରମହଂସ ନାଥ ମନ୍ଦିର ଅନ୍ୟତମ। ଏଠାରେ ପରମ୍ପରା ଅନୁଯାୟୀ ପୂଜା କରାଯାଉଥିଲା ବେଳେ ଭୋର ୪ ଟାରେ ମହାଦୀପ ଉଠିବାର ପରମ୍ପରା ରହିଛି। କୁହାଯାଏ ରାଜା ପ୍ରତାପ ଚନ୍ଦ୍ର ଦେବ ଅମଳରେ ଏହା ନିର୍ମାଣ କରାଯାଇଥିଲା। କାହିଁ କେବେ ଠାରୁ ଏହା ପରମହଂସ ନାଥ ଶୈବ ପୀଠ ଭାବରେ ପରିଚିତ।
ଦେବତ୍ତର ବିଭାଗ ଏହି ମନ୍ଦିର ପରିଚାଳନା କରୁଛନ୍ତି। ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ସକାଳୁ ପହଡ଼ ଖୋଲିବା ପରେ ମନ୍ଦିରରେ ନୀତି କରାଯାଇଥାଏ। ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସକାଳ ବାଳ ଭୋଗ କରାଯାଇଥାଏ। ଅପରାହ୍ନ ୧୨ ଟାରୁ ୧୨.୩୦ ରେ ମନ୍ଦିର ସେବକ ମାନେ ପ୍ରସାଦ ଭୋଗ ଲାଗି କରିଥାଆନ୍ତି। ଏହାର ଦୁଇ ଘଣ୍ଟା ପରେ ଖେଚୁଡି ଭୋଗ ଲାଗି କରାଯାଏ। ଅପରାହ୍ନ ୨ ଟାରୁ ୨ ଟା ୩୦ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ପହଡ଼ ପଡେ। ଅପରାହ୍ନ ୪ ଟାରେ ପହଡ଼ ଖୋଲାଯାଇଥାଏ।
ତେବେ ଏହି ପୂରାତନ ମନ୍ଦିରରେ ଅନେକ ଆଲୌକିକ କାହାଣୀ ରହିଛି। ଏହି ମନ୍ଦିରର ଜଣେ ପୁରୋହିତ ମନ୍ଦିର ପୂଜା କରି ପ୍ରତ୍ୟେକ ଦିନ ଘରକୁ ଫେରିବା ସମୟରେ ଉଖୁଡା଼ ଭୋଗ ନେଇ ଘରକୁ ଯାଇ ଥାଆନ୍ତି। ତାଙ୍କୁ ଚିଙ୍ଗୁଡ଼ି ମାଛ ପସନ୍ଦ ଥିବାରୁ ସେ ବାଟରୁ ଚିଙ୍ଗୁଡ଼ି ମାଛ ନେଇଥାନ୍ତି। ଏହି ଖବର ପ୍ରଚାର ହେବାରୁ ରାଜା ଏହାର ସତ୍ୟାସତ୍ୟ ଜାଣିବାକୁ ନିଜେ ଉକ୍ତ ସ୍ଥାନକୁ ଯାଇଥିଲେ। ପୁରୋହିତ ଚିଙ୍ଗୁଡ଼ି ଓ ଉଖୁଡା଼ ଭୋଗ ସାଙ୍ଗରେ ନେଇ ଯାଉଥିବା ସମୟରେ ରାଜାଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ସଙ୍ଗେ ସଙ୍ଗେ ପ୍ରଭୁ ହଂସନାଥଙ୍କୁ ସ୍ମରଣ କରି ଚିଙ୍ଗୁଡ଼ି, ଉଖୁଡା଼ ହେଇଯାଉ ବୋଲି କହିବାରୁ ସଙ୍ଗେ ସଙ୍ଗେ ଚିଙ୍ଗୁଡ଼ି ଉଖୁଡା଼ ହୋଇଯାଇଥିଲା। କେଵଳ ସେତିକି ନୁହେଁ ରାଜା ଦିନେ ଉଖୁଡା଼ ଭୋଗ ଖାଉଥିବା ସମୟରେ ଉଖୁଡା଼ରୁ କେଶ ବାହାରିଥିଲା।
ତେବେ ଏହା ପରମହଂସ ନାଥଙ୍କ କେଶ ବୋଲି ପୁରୋହିତ କହିବାରୁ ରାଜା ଏହାର ଯାଞ୍ଚ କରିଥିଲେ। ପୁରୋହିତ କିଛି ବାଟ ନପାଇ ଭୟରେ 'ହେ ପ୍ରଭୁ ରକ୍ଷା କର କହିବାରୁ ' ପ୍ରଭୁ ପରମହଂସ ନାଥ ତାଙ୍କୁ ରକ୍ଷା କରିଥିଲେ। ସଙ୍ଗେ ସଙ୍ଗେ ପ୍ରଭୁଙ୍କ ମୁଣ୍ଡରେ କେଶ ଉଠିଥିଲା। ରାଜା ମଧ୍ୟ ଏହାକୁ ସନ୍ଦେହ କରି କେଶଟିକୁ ଉପାଡିବାରୁ ସେଥିରୁ ରକ୍ତ ବାହାରି ଥିଲା ବୋଲି ବିଶ୍ବାସ ରହିଛି।
କଥାରେ ଅଛି ମାନିଲେ ଠାକୁର ନମାନିଲେ ପଥର, ତେବେ ବିଶ୍ବାସରେ ପ୍ରଭୁ ପରମହଂସ ନାଥଙ୍କ ପାଖରେ ଯାହା ମାନସିକ କରାଯାଏ,ତାହା ପୂରଣ ହୋଇଥାଏ। ବିଶେଷକରି ଜାଗର ଦିନ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ସୁଅ ଛୁଟିଥାଏ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ