ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଅଧରାତିରେ ବାଇକ ସହ ଜଳିଗଲେ ଯୁବକ । ସହିଦନଗର ଥାନା ମହାରାଜା ହଲ ସମ୍ମୁଖ ଏନଏଚ ୧୬ରେ ଘଟିଛି ଏଭଳି ଛାତିଥରା ଘଟଣା । ବର୍ତ୍ତମାନ ଏହି ଯୁବକଙ୍କ ପରିଚୟ ପାଇଛି ପୋଲିସ । ମୃତକ ହେଲେ ଜଗତସିଂହପୁରର ଯୁବକ ଅମ୍ବିକା ପତି ଓରଫ ଚନ୍ଦନ । ୨୭ ବର୍ଷୀୟ ଅମ୍ବିକା ଇନଟାସ ଫାର୍ମାସିଟିକାଲସ କମ୍ପାନିରେ ଏମ ଆର ଭାବେ କାମ କରୁଥିଲେ ।
ତେବେ ଏହା ଦୁର୍ଘଟଣା ନା ହତ୍ୟା ତାକୁ ନେଇ ମନରେ ଅସମାହିତ ପ୍ରଶ୍ନ । କାରଣ ଅମ୍ବିକାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାରଲୋକେ । ଅମ୍ବିକାଙ୍କ ସାଙ୍ଗଙ୍କ ଅଭିଯୋଗ ଅନୁସାରେ, ଯଦି ଦୁର୍ଘଟଣା ହୋଇଥାନ୍ତା ତେଵେ ଗାଡି ହୁଏତ ଘଷି ହୋଇ ବା ଧକ୍କାରେ ନିଆଁ ଲାଗିଥାଇପାରେ । ହେଲେ ଯଦି ବ୍ୟକ୍ତି ଜଣକ ଛିଟିକି ପଡିଥିବେ ତାଙ୍କ ଦେହକୁ ନିଆଁ ଲାଗିଲା କେମିତି । ତେବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । କେଶୁରା ରହୁଥିବା ଅମ୍ବିକା ଚନ୍ଦ୍ରଶେଖରପୁର କାହିଁକି ଆସିଥିଲେ ? ରାତିରେ ଫେରିବା ବେଳେ କଣ ଘଟିଥିଲା ? ବାଇକ ଜଳିଯିବା ସହ ତାଙ୍କ ଦେହରେ କେମିତି ନିଆଁ ଲାଗିଲା ? ଏତମାମ ଦିଗକୁ ନେଇ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାଅନୁସାରେ, ଗତକାଲି(ରବିବାର) ବିଳମ୍ବିତ ରାତ୍ରିରେ ସହିଦନଗର ଥାନା NH୧୬ ଓଭରବ୍ରିଜ ଉପରେ ଅମ୍ବିକା ଓ ତାଙ୍କ ବାଇକ ଜଳନ୍ତା ଅବସ୍ଥାରେ ମିଳିଥିଲା । ବାଇକଟି ଜଳୁଥିବା ବେଳେ ଫାୟାର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଘଟଣା ପଛର ରହସ୍ୟ କଣ ସେନେଇ ତମାମ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।
ଇଟିଭି ଭାରତ, ଭୁବନେଶ୍ବର