ଭୁବନେଶ୍ବର: ବୋମାମାଡରେ ଆହତ ହୋଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବର ସ୍ଥିତ ଏୟାରଫିଲ୍ଡ ଥାନା ଅଞ୍ଚଳର ପଞ୍ଚୁପଲ୍ଲୀ ଗ୍ରାମରେ ହୋଇଥିବା ବୋମାମାଡ଼ରେ ରାଜେଶ ସାହୁଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅକ୍ଷୟର ପୁତୁରା ଅଜୟ ସାହୁକୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି ।
ଅଭିଯୁକ୍ତ ଅକ୍ଷୟ ୧୮ ବର୍ଷ ଜେଲ ସଜା କାଟିବା ସହ ତା ନାରେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ରାଜେଶଙ୍କ ହତ୍ୟା ଉଦ୍ୟମରେ ଦଫା 307ରେ ଏୟାରଫିଲ୍ଡ ଥାନା ମାମଲା ରୁଜୁ କରିଛି କରିଛି । ଅନ୍ୟପଟେ ଏହି ଘଟଣାରେ ଆଉ ତିନି ଜଣ ସାମିଲ ଥିବା ପୋଲିସ ଅନୁମାନ କରୁଛି । ଏଥିପାଇଁ ଅଧିକ ତଦନ୍ତ କରୁଥିବା ବେଳେ ଅକ୍ଷୟ ଏବଂ ତା ପୁତୁରା ଅଜୟ ସାହୁକୁ ଗିରଫ କରି ପଚରାଉଚରା କରୁଛି ପୋଲିସ ।
ଘଟଣା ମୁତାବକ, ୧୮ ବର୍ଷ ପରେ ଅଭିଯୁକ୍ତ ଅକ୍ଷୟ ଗାଁକୁ ଫେରିଛି । ପୂର୍ବ ଭଳି ମଦ ପିଇ ଲୋକଙ୍କ ସହ ଝଗଡ଼ା କରିବା ସହ ବୋମା ପକାଇବା ଭଳି ଦୁର୍ଦ୍ଦାନ୍ତ କାଣ୍ଡ କରୁଥିଲା । ରବିବାର ସନ୍ଧ୍ୟା ସମୟରେ ରାଜେଶଙ୍କ ଘର ଆଗରେ ଅଭିଯୁକ୍ତ ଅକ୍ଷୟ ବୋମା ମାଡ କରିଥିଲା । ଏହାକୁ ନେଇ ରାଜେଶ ଯୁକ୍ତି କରିବାରୁ ଲଗାତାର ତାଙ୍କ ଘର ଉପରେ ତିନୋଟି ବୋମା ପକାଇଥିଲା । ଫଳରେ ସମସ୍ତ ପରିବାର ଲୋକ ଆହତ ହୋଇଥିବାବେଳେ ରାଜେଶ ସମେତ ଅନ୍ୟ ଜଣେ ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିଲା । ମଙ୍ଗଳବାର ରାଜଧାନୀ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରାଜେଶଙ୍କ ମୃତ୍ୟୁ ଘଟିଛି । ମୃତଦେହ ହସ୍ତାନ୍ତର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ ଜଣକ ବର୍ତ୍ତମାନ ଫେରାର ଥିବାବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗିରଫ କରି କଠୋର ଦଣ୍ଡ ଦେବାକୁ ରାଜେଶଙ୍କ ଭାଇ ଦାବି କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଦୁଇ ଗୋଷ୍ଠୀ ବିବାଦରୁ ରାଜଧାନୀରେ ଫୁଟିଲା ବୋମା, ଦୁଇ ଗୁରୁତର
ସେପଟେ ଜଟଣୀର ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ ରାଜେଶଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, " ଅଭିଯୁକ୍ତ ଅକ୍ଷୟ ପୂର୍ବରୁ ବହୁ ଅପରାଧରେ ସାମିଲ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି । ଆଶା କରାଯାଉଛି ପୋଲିସ ଖୁବଶୀଘ୍ର ତାକୁ ଧରିବାରେ ସଫଳ ହେବ ।" ସରକାରଙ୍କ ପକ୍ଷରୁ ଉକ୍ତ ପରିବାରକୁ ସହାୟତା ଯୋଗାଇଦେବା ନେଇ ପ୍ରତିଶୃତି ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର