ଭୁବନେଶ୍ବର: ଝାରସୁଗୁଡାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ପ୍ରାୟ ୩୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ ହୋଇଛି । ୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି । ଝାରସୁଗୁଡ଼ା ଓ ବ୍ରଜରାଜନଗର ପାଇଁ ଦୁଇଟି water treatment plant ଉଦ୍ଘାଟିତ ହୋଇଛି । ଏହାଦ୍ବାରା ଏହି ଦୁଇଟି ସହରର ଲୋକମାନେ ବିଶୁଦ୍ଧ ପିଇବା ପାଣି ପାଇପାରିବେ । ଝାରସୁଗୁଡା ଜିଲ୍ଲାର ସବୁ ଗାଁ ଓ ସବୁ ସହରକୁ ପାନୀୟ ଜଳ ଯୋଗାଇବା ପାଇଁ ୬୧୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ୨୦୨୨ ଜୁନ୍ ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୨୨ ହଜାର ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଝାରସୁଗୁଡାକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୩୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ୪ଟି ମେଗା ଲିଫ୍ଟ ଜଳସେଚନ କାର୍ଯ୍ୟ ଜାରି ସେହିପରି ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପରେ ୧ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଦିଆଯାଇଛି । ଜିଲ୍ଲାରେ ୧୮୬ କୋଟି ଟଙ୍କାର ୪ଟି ମେଗା ଲିଫ୍ଟ ଜଳସେଚନ କାମ ଚାଲିଛି । ଖୁବଶୀଘ୍ର ଜିଲ୍ଲାର ସବୁ ଅଞ୍ଚଳକୁ ଜଳସେଚନ ସୁବିଧା ଯୋଗାଇ ଦେବା ଲକ୍ଷ୍ୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ଷମ ହେବ ହୃଦରୋଗ ଚିକିତ୍ସାଳୟ ଝାରସୁଗୁଡାରେ ନିର୍ମାଣଧୀନ ୧୦୦ ଶଯ୍ୟା ବିଶିଷ୍ଟ ହୃଦରୋଗ ଚିକିତ୍ସାଳୟର ନିର୍ମାଣ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଲୋକମାନଙ୍କୁ ଉନ୍ନତମାନର ଚିକିତ୍ସା ମିଳିପାରିବ । ଏଥିପାଇଁ ୧୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ମୁଖ୍ୟମନ୍ତ୍ରୀ ମହାନ୍ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର ଆଦର୍ଶ, ସଂଗ୍ରାମ ଓ ଦେଶପ୍ରେମ ଯୁଗଯୁଗ ଧରି ଆମକୁ ପ୍ରେରଣା ଦେଉଥିବ ବୋଲି ନିଜ ବକ୍ତବ୍ୟରେ ସେ କହିଛନ୍ତି । ସ୍ବାଧୀନତା ସଂଗ୍ରାମୀ ବିହାରୀ ରାମ ତନ୍ତୀ, ଲକ୍ଷ୍ମୀ ନାରାୟଣ ମିଶ୍ର ଓ ଚିନ୍ତାମଣି ପୂଜାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ