ଭୁବନେଶ୍ବର: ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନି ଗୁଣା ବୃଦ୍ଧି ହୋଇଛି । ପ୍ରାଣୀ ସ୍ବାସ୍ଥ୍ୟ ସେବା ଏବଂ ପ୍ରାଣୀ ପାଳନ କାର୍ଯ୍ୟକଳାପ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ ୨୦୨୨ ପାଳନ ହୋଇଛି। ପ୍ରତିବର୍ଷ ଏପ୍ରିଲ ମାସର ଶେଷ ଶବିବାର ଦିନ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଏ । ଏ ଅବସରରେ ଭୁବନେଶ୍ବର କୃଷି ଭବନରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ କରାଯାଇଛି।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ, ‘ପ୍ରାଣୀ ପାଳନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଯାହା କୃଷକ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଓ ଉଦ୍ୟୋଗୀ ମାନଙ୍କ ପାଇଁ ଏକ ଅଭିବୃଦ୍ଧି ଇଞ୍ଜିନ ଭାବରେ ପରିଗଣିତ ହୋଇଛି। ରାଜ୍ୟରେ 541 ପ୍ରାଣୀ ଚିକିତ୍ସାଳୟ ଏବଂ 3239 ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ମାଧ୍ୟମରେ କୃଷକ, ଉଦ୍ୟୋଗୀ ଏବଂ ପ୍ରାଣୀ ପାଳକ ମାନଙ୍କୁ ପ୍ରାଣୀ ସ୍ବାସ୍ଥ୍ୟସେବା, ପ୍ରଜନନ ଏବଂ ପରାମର୍ଶ ସେବା ଯୋଗାଇ ଦିଆଯାଉଅଛି ।’
ଏହାସହ ସେ ଆହୁରି କହିଛନ୍ତି କି, ‘ସାରା ରାଜ୍ୟରେ 314 ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ ମାଧ୍ୟମରେ ଚାଷୀଙ୍କ ଦ୍ବାର ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ରକ୍ତ, ମୂତ୍ର ଆଦି ନମୁନା ପରୀକ୍ଷଣ ମାଧ୍ୟମରେ ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ରାଜ୍ୟ, ଆଞ୍ଚଳିକ ଏବଂ ଜିଲ୍ଲା ସ୍ତରରେ ରୋଗ ନିରୂପଣ ଲାବୋରେଟୋରୀ କାର୍ଯ୍ୟ କରୁଛି ।’ ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରାଣୀ ସ୍ବାସ୍ଥ୍ୟ ସେବା ପ୍ରାଣୀ କଲ୍ୟାଣ ଏବଂ ପ୍ରାଣୀ ପାଳନରେ ଶତାଧିକ ପ୍ରାଣୀ ଚିକିତ୍ସକ ଓ ସହାୟକ କର୍ମଚାରୀଙ୍କ ପ୍ରମୁଖ ଭୂମିକା ଏବଂ ଟୀକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି, ‘ନୂତନ ବ୍ୟାବସାୟିକ ଓ ଅର୍ଦ୍ଧ ବ୍ୟାବସାୟିକ କୁକୁଡ଼ା ଫାର୍ମ ଏବଂ ଛେଳି ପାଳନ ପାଇଁ ସବସିଡ଼ି ଯୋଗାଇ ଦିଆଯାଉଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନି ଗୁଣା ବୃଦ୍ଧି ପାଇଛି । 2000 ମସିହାରେ ଏହା 8.75 ଲକ୍ଷ ମେଟ୍ରିକ୍ ଟନ ଥିବା ବେଳେ 2021ରେ 23.73 ଲକ୍ଷ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି । ଗତ 20 ବର୍ଷ ମଧ୍ୟରେ ମାଂସ ଉତ୍ପାଦନ ପ୍ରାୟ ଛଅ ଗୁଣ ବୃଦ୍ଧି ପାଇଛି । 2000 ମସିହାରେ 38.38 ହଜାର ମେଟ୍ରିକ୍ ଟନ ଥିବା ବେଳେ 2021ରେ ଏହା 213.09 ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଛି ।
ଏହି ସମୟ ମଧ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି । 2000 ମସିହାରେ 7301.01 ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ 2021 ମସିହାରେ 24242.67 ଲକ୍ଷକୁ ବୃଦ୍ଧି ପାଇଛି । କୃତ୍ରିମ ପ୍ରଜନନ ମାଧ୍ୟମରେ ଗୋ-ପ୍ରଜାତିର ଜେନେଟିକ ଉନ୍ନତିକରଣ ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ରାଜ୍ୟରେ ଏକ ମିଶନ ମୋଡରେ ନିଆଯାଇଛି ।’
ସେପଟେ, ବିଶ୍ବ ପ୍ରାଣୀ ଚିକତ୍ସା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବାସ୍ଥ୍ୟ, ପରିବେଶ, ପୃଷ୍ଟି ଓ ଖାଦ୍ୟ ସୁରକ୍ଷାର ଗୁରୁତ୍ବ ବହନ କରୁଛି। ବିଗତ ଦିନରେ ମତ୍ସ୍ୟ ଚାଷ, ଦୁଗ୍ଧ ଚାଷୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଓଡ଼ିଶା ବହୁ ବିକାଶ କରିଛି । ପ୍ରାଣୀ ଚିକିତ୍ସିକମାନେ କଥା କହି ପାରୁ ନ ଥିବା ପଶୁଙ୍କ ସେବା ଓ ଲାଇଭ ଷ୍ଟୋକ ରୋଗ ନିୟନ୍ତ୍ରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି । ଲାଇଭ ଷ୍ଟୋକ ଚାଷୀ ଆମ ଲକ୍ଷ୍ୟ ନିର୍ଦ୍ଧାରଣରେ ଗୁରୁତ୍ବ ବହନ କରୁଛନ୍ତି । ପ୍ରାଣୀ ସମ୍ପଦ ଗ୍ରାମାଞ୍ଚଳ ଲୋକଙ୍କୁ ଜୀବନଶୈଳୀ ଯୋଗାଉଛି। ଖାସ କରି ମହିଳାମାନଙ୍କୁ । ଏହା ଆମ ପିଲାମାନଙ୍କୁ ପୃଷ୍ଟକର ସୁରକ୍ଷା ଯୋଗାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ