ଭୁବନେଶ୍ବର: ଆଜି ହେଉଛି ବିଶ୍ବ ଅଣ୍ଡା ଦିବସ(World Egg Day) । ପ୍ରତିବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ଶୁକ୍ରବାର ଦିନ ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଏ । ଭୁବନେଶ୍ବରର ଜୟଦେବ ଭବନରେ ଅଣ୍ଡା ଦିବସ ପାଳିତ ହୋଇଯାଇଛି । ଅପପୁଷ୍ଟି ଓ ମେଦବହୁଳତା ଦୂର କରିବା ଦିଗରେ ଅଣ୍ଡା ଏକ ଉପାଦେୟ ଖାଦ୍ୟ । ଅଣ୍ଡାର ଖାଦ୍ୟ ଗୁଣ ଓ ଏହାର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ଅଣ୍ଡା ଉତ୍ପାଦନ ବୃଦ୍ଧି କରିବା ବିଶ୍ୱ ଅଣ୍ଡା ଦିବସ ପାଳନର ଲକ୍ଷ୍ୟବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ।
ଜୟଦେବ ଭବନରେ ଆଜି ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ବିଶ୍ୱ ଅଣ୍ଡା ଦିବସ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାସନ ସଚିବ କହିଛନ୍ତି ଯେ, "ଅଣ୍ଡା ଏକ ସଂପୂର୍ଣ୍ଣ ଖାଦ୍ୟ । ଅଣ୍ଡା ହେଉଛି ଏକ ମାତ୍ର ଖାଦ୍ୟ ଯେଉଁଥିରୁ ଭିଟାମିନ୍-ଡି ଯଥେଷ୍ଟ ମାତ୍ରାରେ ମିଳିଥାଏ । ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ନିୟମିତ ଅଣ୍ଡା ଖାଇବା ଉଚିତ । ଭାରତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପରିଷଦ ଅନୁଯାୟୀ ଜଣେ ଲୋକ ବର୍ଷକୁ ହାରାହାରି ୧୮୦ଟି ଅଣ୍ଡା ଖାଇବା ଆବଶ୍ୟକ । ରାଜ୍ୟରେ ଅଣ୍ଡାର ବ୍ୟବହାର ବୃଦ୍ଧି ସହିତ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ କୁକୁଡ଼ା ପାଳନର ବିକାଶ ସହିତ ଅଣ୍ଡା ଉତ୍ପାଦନ ବୃଦ୍ଧି କରିବାକୁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହା ଦ୍ୱାରା ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହିତ କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ ।"
ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ପୁଣି ହବିଷ୍ୟାଳିଙ୍କୁ ଦୁର୍ବ୍ୟବହାର ! ଆସନ୍ତୋଷ ହବିଷ୍ୟାଳି
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟର ଉଦ୍ୟୋଗୀଙ୍କୁ ବ୍ୟାପକ ପ୍ରୋତ୍ସାହନ ଦିଆଯାଉଛି । ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟର ଚାଷୀମାନଙ୍କୁ ଏକ ହଜାର ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ଆକର୍ଷଣୀୟ ରିହାତି ଦିଆଯାଉଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ସହାୟତା ଯୋଗାଇ ଦିଆଯାଉଛି । ଘର ଅଗଣାରେ କୁକୁଡ଼ା ଓ ବତକ ପାଳନ ନିମନ୍ତେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଥିବା ପରିପ୍ରେକ୍ଷୀରେ ରାଜ୍ୟର ଚାଷୀ ଓ ଉଦ୍ୟୋଗୀମାନେ ଏସବୁର ଲାଭ ଉଠାଇବା ଉପରେ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।
ଲୋକମାନେ ପ୍ରତିଦିନ ଅଣ୍ଡା ଖାଇବା ଓ ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରାଇବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ । ସେ କହିଛନ୍ତି ଯେ, ଅଣ୍ଡାରେ ଥିବା ପୃଷ୍ଟିସାର ଶିଶୁର ଶରୀର ବୃଦ୍ଧିରେ ସହାୟକ ହୋଇଥାଏ । ଅଣ୍ଡାରୁ ମିଳୁଥିବା ପ୍ରଚୁର ମାତ୍ରାର ଲିଉଟିନ ଓ ଜାନଥିନ ଆଖିକୁ ସୁସ୍ଥ ଓ ସବଳ ରଖିବା ସାଙ୍ଗକୁ ଦୃଷ୍ଟି ଶକ୍ତିରେ ବୃଦ୍ଧି ଘଟାଇଥାଏ । ଅଣ୍ଡାରୁ ମିଳୁଥିବା କୋଲିନ ଜୀବକୋଷ ଓ ମସ୍ତିଷ୍କ ବୃଦ୍ଧିର ଏକ ପ୍ରମୁଖ ଉପାଦନ ବୋଲି ସେ କହିଛନ୍ତି । ଏଥି ସହ ଅଣ୍ଡାରୁ ମିଳୁଥିବା ଆମିନୋ ଏସିଡ଼, ଭିଟାମିନ୍ ବି-୧୨, ଫୋଲିକ ଏସିଡ, ସ୍ନେହସାର ଆଦି ମଣିଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି । ଏସଏଲବିସିର ଆବାହକ ଗୌତମ ପାତ୍ର ଅଣ୍ଡା ଉତ୍ପାଦନ ବୃଦ୍ଧି ଦିଗରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ।
ଚଳିତ ବର୍ଷ ଆନ୍ତର୍ଜାତିକ ଅଣ୍ଡା କମିଶନ ଧାର୍ଯ୍ୟ କରିଥିବା ପ୍ରସଙ୍ଗ ‘ଉନ୍ନତ ଜୀବନ ପାଇଁ ଅଣ୍ଡା’ ବିଷୟକୁ ଭିତ୍ତିକରି ରାଜ୍ୟରେ ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଉଛି । ରାଜ୍ୟର ପ୍ରତି ଜିଲ୍ଲାସ୍ତରରେ ମଧ୍ୟ ଏହି ଦିବସ ପାଳନ କରାଯାଉଥିବାବେଳେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଅଣ୍ଡାର ଉପାଦେୟ ଗୁଣ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ୟୁନିଟ-୧, ୟୁନିଟ-୨ ଓ ୟୁନିଟ-୩ ବାଳିକା ହାଇସ୍କୁଲ, ସିଆର୍ପି ଓ ପାତ୍ରପଡ଼ା ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏଥି ସହିତ ଭୁବନେଶ୍ୱରର ବିଭିନ୍ନ ଅନାଥାଶ୍ରମରେ ଅନ୍ତେବାସୀମାନଙ୍କୁ ଅଣ୍ଡା ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କୁକୁଡ଼ା ଚାଷୀ ଓ ଉଦ୍ୟୋଗୀ, ବ୍ୟାଙ୍କର ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର