ଭୁବନେଶ୍ବର: ମାଡି ଆସୁଛି ଶିଶୁ ମାନଙ୍କ ପାଇଁ ବଡ ବିପଦ। କୋରୋନାରେ ପ୍ରଭାବିତ ହୋଇପାରେ ଶୈଶବ। ରାଜ୍ୟରେ ବଢିପାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା । କାରଣ କୋରୋନା ପାଇଁ ଏଭଳି ଉତ୍କଟ ସ୍ଥିତି ଉପୁଜିବା ନେଇ ଆଶଙ୍କା କରାଯାଉଛି ।
କୋରୋନା ବଦଳାଇଦେଇଛି ଜୀବନର ମୋଡ । କିଏ ଚାକିରୀ ହରାଇଛି ତ, କିଏ ଚାକିରୀ କରି ବି ସଂସ୍ଥାରୁ ବେତନ ପାଉନି । ଏହାରି ଭିତରେ ବଢିଚାଲିଛି ବେକାରୀ ସମସ୍ୟା । ଯାହା ଫଳରେ ଶିଶୁ ମାନଙ୍କ ପାଇଁ ବଡ ବିପଦ ମାଡି ଆସୁଛି । ବେରୋଜଗାରୀ ଓ ଖରାପ ଆର୍ଥିକ ସ୍ଥିତି, ପ୍ରଶୟ ଦେଇପାରେ ଶିଶୁ ଶ୍ରମିକଙ୍କୁ । ନିର୍ଦ୍ଦିଷ୍ଟ ବର୍ଗର ଲୋକ ଏହି ମଉକାରେ ହୋଟେଲ ଢାବାଠୁ ଆରମ୍ଭ କରି ଗ୍ୟାରେଜ ଓ ଘରୋଇ କାମ ସହ ଭିକ୍ଷା ବୃତ୍ତିରେ ଲଗାଇପାରନ୍ତି ଶିଶୁ ଶ୍ରମିକଙ୍କୁ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମନସ୍ତତ୍ବବିତ୍ ।
କେବଳ ଶିଶୁ ଶ୍ରମିକ ଘଟଣା ନୁହେଁ ଏମିତିକି ଶିଶୁ ବିକ୍ରି ଓ ଶିଶୁ ଚାଲାଣର ଅଭିଯୋଗ ମଧ୍ୟ ଆଗକୁ ସଙ୍ଗୀନ ରୂପରେ ଆସିପାରେ । ସକ୍ରିୟ ହୋଇପାରନ୍ତି ଦଲାଲ । ଲକଡାଉନ ଓ ସଟଡାଉନ ହଟିବା ପରଠୁ ଖୋଲୁଛି ଦୋକାନ ବଜାର । ଯାହାଫଳରେ ଯେତିକି ଶିଶୁ ଉଦ୍ଧାର ହେଉଛନ୍ତି ତା ଠୁ 20 ଗୁଣ ଅଧିକ ନିୟୋଜିତ ଅଛନ୍ତି । ଅର୍ଥାତ ରେକର୍ଡ କହୁଛି କେବଳ ଭୁବନେଶ୍ବରରୁ ମାସକୁ 20 ରୁ ଅଧିକ ଶିଶୁ ଉଦ୍ଧାର ହେଉଛନ୍ତି। 2019- 2020 ମଧ୍ୟରେ 83ଟି କେସ ରେକର୍ଡ ରହିଛି । ସେହିଭଳି 2018- 2019ରେ 108ଟି କେସ ଓ 2018-2019 ମଧ୍ୟରେ 89ଟି ଶିଶୁ ଶ୍ରମିକ କେସ ଆସିଛି।
ତେବେ ପୁର୍ବରୁ ଅନେକ ଥର ଶିଶୁ ମାନଙ୍କୁ ଉଦ୍ଧାର ପାଇଁ ପରୀ , ସ୍ମାଇଲ ଓ ମୁସକାନ ଭଳି ଅପରେସନ ହୋଇଛି । ଶେଷ ଥର ପାଇଁ 2018 ରେ ପରୀ-୨ ସ୍ବତନ୍ତ୍ର ଅପରେସନରେ ରାଜ୍ୟ ଭିତରୁ 2189 ଜଣ ଶିଶୁ ଉଦ୍ଧାର ହୋଇଥିଲେ । ସେହିପରି ରାଜ୍ୟ ବାହାରୁ 92 ଜଣ ଶିଶୁ ଉଦ୍ଧାର ହୋଇଥିଲେ। ଯେଉଁମାନଙ୍କ ମଧ୍ୟରେ 1881 ଜଣ ପୁଅ ଓ 400 ଜଣ ଝିଅ ଥିଲେ । ତେବେ ଆଗକୁ ଏହା ଆହୁରି ବଢିପାରେ । ଏଥିପାଇଁ ପୋଲିସ,ଏନଜିଓ,ଚାଇଲ୍ଡଲାଇନ ଓ ଶିଶୁବିକାଶ ବିଭାଗ ମିଳିମିଶି କାମ କଲେ ଏହାକୁ ରୋକାଯାଇପାରିବ ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ