ଭୁବନେଶ୍ବର: ଶ୍ରେଷ୍ଠ ଭାରତ ଗଠନର ସେନାନୀ ମହିଳାଙ୍କ ଭିତରେ ନେତୃତ୍ବର ମନୋଭାବ ଜାଗ୍ରତ କରିବା ଦିଗରେ କାମ କରିବା ନେଇ କହିଛନ୍ତି ଅର୍ପିତା । ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଦାୟିତ୍ୱରେ ଓଡ଼ିଶାର ଅର୍ପିତା ଅପରାଜିତା ବଡ଼ଜେନା । ସେ ସାଧାରଣ ପରିବାରରୁ ଆସି ଛାତ୍ର ଜୀବନରୁ ନେତୃତ୍ବର ସୁପରିଚାଳନା କରିଥିଲେ । ଯାହାକି ତାଙ୍କୁ ପ୍ରଥମେ ଏବିଭିପି ଓ ପରେ ଜାତୀୟ ଦଳ ବିଜେପିରେ କାମ କରିବାର ସୁଯୋଗ ଆଣିଦେଇଥିଲା ।
ଆଉ ତାଙ୍କର ସେହି କାର୍ଯ୍ୟଶୈଳୀ ତାଙ୍କୁ ଆଣିଦେଇଛି ଏକ ଗୁରୁଦାୟିତ୍ୱ । ଏହାକୁ ନେଇ ସେ ବିଜେପିର ସମସ୍ତ ନେତୃବୃନ୍ଦଙ୍କୁ ଶ୍ରେୟ ଦେଇଥିବା ବେଳେ କୃତଜ୍ଞତା ଜଣାଇଛନ୍ତି । ଏହାସହ ଏହି ଦାୟିତ୍ୱକୁ ନେଇ ରାଜ୍ୟ ନେତୃବୃନ୍ଦଙ୍କର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଅର୍ପିତାଙ୍କ ପାଖକୁ ଛୁଟିଛି । ପ୍ରଥମ ମହିଳା ଭାବେ ଅର୍ପିତା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଦାୟିତ୍ୱ ପାଇଥିବା ବେଳେ ସର୍ବଦା ରାଜ୍ୟ ଗୌରବ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
ଏହାସହ ପ୍ରଧାନମନ୍ତ୍ରୀଙ୍କ ଶ୍ରେଷ୍ଠ ଭାରତ ଗଠନର ସେନାନୀ ଭାବେ କାମ କରିବା ସହ ମହିଳାଙ୍କ ଭିତରେ ନେତୃତ୍ବର ମନୋଭାବ ଜାଗ୍ରତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଅର୍ପିତା । ଏହାଯେ କେବଳ ତାଙ୍କ ପାଇଁ ଦାୟିତ୍ୱ ନୁହେଁ ଆଗକୁ ବଢିବାରେ ନୂଆ ଅଭିଜ୍ଞତା ରହିବ ଆଉ ଏଥିପାଇଁ ସେ ବେଶ୍ ଖୁସିଥିବା ବେଳେ ସୁସ୍ଥ ସମାଜ ଗଠନର ସହଭାଗୀତାକୁ ଜାରି ରଖିବେ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ