ଭୁବନେଶ୍ବର: ଦିନକୁ ଦିନ ଶିକ୍ଷାଅନୁଷ୍ଠାନରେ ବୃଦ୍ଧି ପାଉଛି ରାଗିଂ । ସିନିୟରମାନଙ୍କ ନିର୍ଯାତନାରେ ପିଲାଙ୍କ ଭବିଷ୍ୟତ ଉଜୁଡିଯାଉଥିବା ବେଳେ ଜୀବନ ହାରିବାକୁ ପଛାଉନାହାନ୍ତି ଛାତ୍ରଛାତ୍ରୀ । କଲେଜ ତରଫରୁ ଆଣ୍ଟି ରାଗିଂ କମିଟି ଗଠନ କରାଯାଉଥିଲେ ମଧ୍ୟ ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ତେବେ ବିଜେବି ଯୁକ୍ତ ତିନି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ତେଜୁଛି ଅସନ୍ତୋଷ । ରାଗିଂ ପାଇଁ ଛାତ୍ରୀ ଜୀବନ ହାରିଥିବା ସୁଇସାଇଡ ନୋଟରେ ଲେଖିବା ପରେ ଏବେ ଘଟଣା ଉଗ୍ରରୂପ ନେଇଛି ।
ଗୋଟିଏ ପଟେ ପରିବାର ଲୋକେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଅବହେଳା ଓ ସିନିୟରଙ୍କୁ ଦାୟୀ କରିଥିବା ବେଳେ କଲେଜ କର୍ତ୍ତୃପକ୍ଷ ଏ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି । ଏ ସମ୍ପର୍କରେ କିଏ ଅଭିଯୋଗ କରିନଥିବା ସହ ପରିବାର ଲୋକବି ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇ ନାହାନ୍ତି ବୋଲି କହିଛନ୍ତି ହଷ୍ଟେଲ ସୁପରିଟେଣ୍ଡଣ୍ଟ । ତେବେ ରୁଚିକା ସୁଇସାଇଡ ନୋଟରେ କାହା ନାମ ଲେଖିନଥିବା ବେଳେ ସେମାନଙ୍କୁ ଖୋଜି ବାହାର କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ବାସ ଭବନ ଘେରିଛି ।
ଏହା ମଧ୍ୟ ପଢନ୍ତୁ: BJB କଲେଜ ଛାତ୍ରୀଙ୍କ ସୁଇସାଇଡ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ
ସୂଚନାଅନୁସାରେ, ୧୭ବର୍ଷ ତଳେ ଅର୍ଥାତ୍ ୨୦୦୫ ମସିହାରେ ଠିକ ଅନୁରୂପ ଢଙ୍ଗରେ ଜଣେ ଛାତ୍ରୀ ସୁଇସାଇଡ କରି ୩ଜଣ ଅଧ୍ୟାପକଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଏନେଇ ସେତେବେଳେ ୩ ଜଣଙ୍କୁ ସସପେଣ୍ଡ କରାଯାଇଥିଲା । ତେବେ ଠିକ ୧୭ବର୍ଷ ପରେ ଏହି ଘଟଣାର ପୁନରାବୃତ୍ତି ପୁଣି ଥରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ଇଟିଭି ଭାରତ, ଭୁବନେଶ୍ବର