ଭୁବନେଶ୍ବର: ରାଜ୍ୟରେ ସୂର୍ଯ୍ୟଦେବଙ୍କ କୋପ ବଢିବାରେ ଲାଗିଛି । ଦିନକୁ ଦିନ ଅସହ୍ୟ ହେଲାଣି ତାତି । ରେକର୍ଡ କରିବାରେ ଲାଗିଛି ପାପମାତ୍ରା । ଗତକାଲିର ସର୍ବାଧିକ ତାତିର ରେକର୍ଡ ଅନୁଯାୟୀ ବିଶ୍ବରେ ରାଜଧାନୀ ଭୁବନେଶ୍ବର 4ର୍ଥ ସ୍ଥାନରେ ରହିଥିବାବେଳେ ଆଜି ମଧ୍ୟ ସର୍ବାଧିକ ତାତି ରେକର୍ଡ କରାଯାଇଛି । ରାଜ୍ୟର 7 ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଟିଟିଲାଗଡ଼ ସହରରେ 41.0 ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କଟକ ସହରରେ 41 .0, ସୁନ୍ଦରଗଡ଼ରେ 40, ଭବାନୀପାଟଣାରେ 40, ମାଲକାନଗିରିରେ 40.5, ଅନୁଗୋଳରେ 41.1 ଏବଂ ସୋନପୁରରେ 40 ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେପଟେ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ