ଭୁବନେଶ୍ବର: ରାଜ୍ୟରେ କାଳ ବୈଶାଖୀ ବର୍ଷା ଜାରି ରହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୩ଟି ଜିଲ୍ଲାକୁ କାଳବୈଶାଖୀ ବର୍ଷା ପାଇଁ ସତର୍କ ସୂଚନା ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ ବୌଦ୍ଧରେ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବ ସହ ଘଡଘଡି ବର୍ଷା ହେବ। । ୧୩ ତାରିଖ କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଦେବଗଡ ଓ ଅନୁଗୁଳ ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବ । ଏହାସହ ଘଡଘଡି ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ଗତ ୨୪ ଘଣ୍ଟାରେ କେନ୍ଦୁଝରଗଡ଼ରେ ସର୍ବାଧିକ ୩୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କେନ୍ଦୁଝରରେ କୁଆପଥର ବର୍ଷା ହୋଇଛି । ଟିଟିଲାଗଡ଼ରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୩ ରୁ ୪ ଦିନ ଯାଏଁ ଓଡ଼ିଶାର ଜିଲ୍ଲା ଗୁଡିକରେ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ କିଛି କିଛି ସ୍ଥାନରେ ୪୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ତାପମାତ୍ରା ଅନୁଭବ ହେବାର ସମ୍ଭାବନା ରହିଛି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ