ଭୁବନେଶ୍ବର: ତାତିରୁ ମିଳିବ ଶାନ୍ତି । ୯ ଜିଲ୍ଲାରେ କାଳ ବୈଶାଖୀ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ଉପକୂଳଅଞ୍ଚଳରେ ତାପମାତ୍ରା ସାମାନ୍ୟ କମ ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରିଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ ।
ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ ୪୧.୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତା ସହିତ ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ଜନିତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ମଧ୍ୟ ପ୍ରଦେଶ ଉପରେ ଏକ ଘୁର୍ଣ୍ଣିବଳୟ ରହିଛି । ଦକ୍ଷିଣ ପୂର୍ବ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଆଉ ଏକ ଘୁର୍ଣ୍ଣିବଳୟ ରହିଛି ।
ଫଳରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତାକାଲି(ଶୁକ୍ରବାର) ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ ଓ ନବରଙ୍ଗପୁର ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାକୁ ନେଇ ୯ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ