ଭୁବନେଶ୍ବର: ସ୍ମାର୍ଟସିଟିର ମାନ୍ୟତା ପାଇଥିବା ରାଜଧାନୀ ଭୁବନେଶ୍ବରରେ ବଢିବାରେ ଅଳିଆ ଆବର୍ଜନା ପରିଚାଳନା ଚିନ୍ତା । ବର୍ଜ୍ୟବସ୍ତୁ ପରିଚାଳନାରେ ସ୍ମାର୍ଟସିଟିର ରେଟିଂ ଅତ୍ୟନ୍ତ ନୈରାଶ୍ୟଜନକ । ଭାରତର ପ୍ରଥମ 20ଟି ସହର ଭିତରେ ବି ଭୁବନେଶ୍ବରର ସ୍ଥାନ ନାହିଁ । ଏହାର କାରଣ ହେଉଛି ଦୀର୍ଘ ସମୟ ଧରି ବର୍ଜ୍ୟବସ୍ତୁ ପରିଚାଳନା ନେଇ ଯୋଜନାର କାର୍ଯ୍ୟକାରିତାରେ ଅଭାବ । ସାଧାରଣ ଲୋକଙ୍କ ପାଖରେ ଏନେଇ ସଚେତନତାର ଅଭାବ ଓ ତୃଣମୂଳସ୍ତରରେ ଏହାର ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଉଦାସୀନତା ମଧ୍ୟ ଅନ୍ୟ ମୁଖ୍ୟ କାରଣ । ସବୁଠାରୁ ବଡ କଥା ହେଉଛି ଏହାର ପରିଚାଳନା ଦାୟିତ୍ବରେ ଥିବା ବିଏମସି କେବଳ ବାଃ ବାଃ ସାଉଣ୍ଟି ତୁନି ହୋଇ ବସିଯାଇଛି ।
ରାଜଧାନୀର ଯେକୌଣସି ଅଞ୍ଚଳରେ ରାସ୍ତା ଉପରେ କୂଢ କୂଢ ଅଳିଆ ଆବର୍ଜନା ପଡି ରହୁଛି । ନାଳ ନର୍ଦ୍ଦମା କଥା ନ କହିବା ହିଁ ଭଲ । ସମୟ ସମୟେ ଏହାର ସଫେଇ ନହେବାରୁ ଦୁର୍ଗନ୍ଧରେ ଫାଟୁଛି ପରିବେଶ । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ଏଥିପ୍ରତି କାହାର ବି ନଜର ନାହିଁ । ସହରରେ ସରକାରୀ ଟଙ୍କା ଖର୍ଚ୍ଚ ହେଉଛି ସତ ହେଲେ ସେ ଅନୁଯାୟୀ କାମର ମାତ୍ରା ଢେର କମ । ସହଜ ଶବ୍ଦରେ କହିବାକୁ ଗଲେ ସରକାରୀ କାଗଜ କଲମରେ ଠିକ୍ ଦେଖାଯାଉଥିବା ରାଜଧାନୀର ସ୍ବଚ୍ଛତାର ବାସ୍ତବିକ ଚିତ୍ର ସମ୍ପୂର୍ଣ୍ଣ ଓଲଟା ।
କେବଳ ସାହି କି କଲୋନୀ ନୁହେଁ ବିଏମସି ଅଧୀନରେ ଥିବା ସମସ୍ତ ୱାର୍ଡରେ ଏହା ଏକ ନିୟମିତ ଦୃଶ୍ୟ ପାଲଟିଛି । ଆଉ ଏ କଥାକୁ ସ୍ବୀକାର କରିଛନ୍ତି ସ୍ଥାନୀୟ ବସ୍ତି ବାସିନ୍ଦା । ବିଏମସି ପକ୍ଷରୁ ସଫେଇ ହେଉଛି ସତ, ହେଲେ କେନାଲରେ ବିଭିନ୍ନ ସ୍ଥାନରୁ ନିର୍ଗତ ମଇଳା ପାଣି ଯୋଗୁଁ ଦୁର୍ଗନ୍ଧରେ ଫାଟୁଛି ପରିବେଶ କେନାଲରେ ଭାସୁଛି କୂଢ କୂଢ ଅଳିଆ ଆବର୍ଜନା । ତେବେ 1994 ମସିହାରେ ମ୍ୟୁନିସିପାଲିଟିରୁ ମହାନଗରର ମାନ୍ୟତା ପାଇଥିଲା ଭୁବନେଶ୍ବର । ସମୟାନୁସାରେ ସହରର ପରିସର ବଢିବା ସହ ବଢି ଚାଲିଛି ସହରର ଜନସଂଖ୍ୟା । ସହରର କଳେବର ବଢୁଛି, ହେଲେ ସେହି ଅନୁସାରେ ଲୋକଙ୍କୁ ମିଳୁଥିବା ସୁବିଧା ସୁଯୋଗ ବିଶେଷ କରି ବର୍ଜ୍ୟବସ୍ତୁ ପରିଚାଳନା ଏକ ମୁଖ୍ୟ ସମସ୍ୟା ଭାବେ ଏଠାରେ ଉଭା ହୋଇଛି ।
ବିଏମସିର ସଦ୍ୟତମ ସୂଚନା ଅନୁସାରେ ପ୍ରାୟ 40ବର୍ଗ କିଲୋମିଟର ହେଉଛି ରାଜଧାନୀର ପରିସର । ଏଠିକାର ଜନସଂଖ୍ୟା ପ୍ରାୟ 15 ଲକ୍ଷରୁ ଉର୍ଦ୍ଧ୍ବ। ନିଗମ ଅଧୀନରେ ରହିଛି 67ଟି ୱାର୍ଡ । ଦୈନିକ ପ୍ରାୟ 8 ଲକ୍ଷ 50ହଜାର ଘରୁ ଆବର୍ଜନା ଉଠାଉଛି ବିଏମସି । ଦୈନିକ ବାହାରୁଥିବା ପ୍ରାୟ 600 ଟନ ଅଳିଆ ଆବର୍ଜନା ଉଠାଇବା ପାଇଁ ବିଏମସି ମାସିକ 4 କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛି । ସେପଟେ ସଫେଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି ବିଏମସି, ଜାଗୃତି, ରାମକୀ ଓ ପିଏମଆର ଭଳି ସଂସ୍ଥାର ପ୍ରାୟ 2ହଜାରରୁ ଅଧିକ ସଫେଇ କର୍ମଚାରୀ । ଏତେସବୁ ଆନୁସଙ୍ଗିକ ବ୍ୟବସ୍ଥା ଥାଇ ବି ରାଜଧାନୀର ସଫେଇ ବ୍ୟବସ୍ଥା ଅତ୍ୟନ୍ତ ଦୟନୟ ସ୍ଥିତିରେ ରହିଛି ।
ସହରରେ ଅଳିଆ ଆବର୍ଜନା ପରିଚାଳନାରେ ଅସୁବିଧା ସାଜିଛି ବର୍ଜ୍ୟବସ୍ତୁ ପୃଥକୀକରଣ । ସେପଟେ କମ୍ପୋଷ୍ଟିଂ ଓ କୋଭିଡ-19 ଆଉ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଫଳରେ ସଠିକ୍ ପରିଚାଳନା ଅଭାବରୁ ଟିଟିଏସ ୟାର୍ଡରେ ପଡି ରହୁଛି ସହରର କୂଢ କୂଢ ଆବର୍ଜନା । ତେଣେ 43ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କାର୍ଯ୍ୟ ସରିବା ପରେ ଡୋର ଟୁ ଡୋର ବର୍ଜ୍ୟବସ୍ତୁ ସଂଗ୍ରହ, ବର୍ଜ୍ୟବସ୍ତୁ ପୃଥକୀକରଣ ଓ କମ୍ପୋଷ୍ଟିଂ ବ୍ୟବସ୍ଥିତ ଢଙ୍ଗରେ ହୋଇପାରିବ ବୋଲି କହିଛନ୍ତି ବିଏମସି କମିଶନର ।
ଦୀର୍ଘ ସମୟ ଧରି କେବଳ ପ୍ରତିଶୃତି ଦେଇ ଲୋକଙ୍କୁ ଭୂଆଁ ବୁଲାଉଛି ବିଏମସି । ସେପଟେ ସହରର ସଫେଇ ଓ ସ୍ବଚ୍ଛତା ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କାର ମିଳିପାରୁନି କୌଣସି ଲାଭ । ଓଲଟା ଚାରିଆଡେ କେବଳ ଦୁର୍ଗନ୍ଧ ଓ ଅଳିଆମୟ ପରିବେଶ । ଏବେ ଅପେକ୍ଷା କେବେ ସୁଧୁରିବ ବିଏମସିର ଚରମ ଉଦାସୀନତା ଓ କେବେ ଶେଷ ହେବ ସହରର ସ୍ବଚ୍ଛତା ପାଇଁ ଏମସିସି କାମ ?
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ