ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ ୬୮ ଟି ସ୍ଥାନରେ ବିକ୍ରି ହେବ ପନିପରିବା । କୌଣସି ଏକତ୍ର ସ୍ଥାନରେ ବସି ପାରିବେନି ପରିବା ବେପାରୀ । ସାମାଜିକ ଦୂରତା ରକ୍ଷା କରିବା ପାଇଁ ୱାର୍ଡ ସ୍ତରୀୟ ଅସ୍ଥାୟୀ ପରିବା ହାଟର ବ୍ୟବସ୍ଥା କଲେ ବିଏମସି କର୍ତ୍ତୃପକ୍ଷ । ଲକ ଡାଉନ କଟକଣାକୁ ପୂରିଲା ୨ ସପ୍ତାହ, ଜୀବନଯାପନ ସ୍ଥଗିତ ଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଲୋକମାନଙ୍କ ହାତପାଆନ୍ତାରେ ଉପଲବ୍ଧ ହେବା ପାଇଁ ପ୍ରୟାସ କରିଛି ବିଏମସି ।
ବିଶେଷ କରି ପରିବାପତ୍ର ପାଇଁ ନିୟମିତ ଲୋକମାନେ ହାତ ଗଣତି ହାଟକୁ ଧାଉଁ ଥିବା ବେଳେ ଏହା କିପରି ସେମାନଙ୍କ ନିଜ ୱାର୍ଡ ଓ ଘର ପାଖରେ ମିଳିପାରିବ ସେଥିପାଇଁ ନିର୍ଦ୍ଦେଶନାମା ଜାରି କରିଛି ବିଏମସି । ଏପରି ସମୟରେ ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଉପରେ ଗୁରୁତ୍ବ ଦେଇ ବିଏମସି ପକ୍ଷରୁ ମଙ୍ଗଳବାର ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ମଙ୍ଗଳବାର ଭୁବନେଶ୍ବର ୟୁନିଟ ୧ ହାଟ ବ୍ୟବସାୟୀ ସଂଘ ଓ ବିଏମସି କତ୍ତୃପକ୍ଷଙ୍କ ଆଲୋଚନା ପରେ ଭୁବନେଶ୍ବର ସହରର ୬୭ ଟି ୱାର୍ଡରେ ପନିପରିବା ବିକ୍ରି ନେଇ ନିଷ୍ପତ୍ତି ହୋଇଛି । ୟୁନିଟ ୧ ହାଟ, ୟୁନିଟ ୨ ହାଟ, ରୁଚିକା ଓ ଡମଣା ହାଟ ଭଳି ହାଟ ଗୁଡିକୁ ଭାଗ କରିଛି ବିଏମସି।ଉଲ୍ଲେଖ ଅନୁଯାୟୀ ୟୁନିଟ ୧,ୟୁନିଟ ୪ ହାଟରେ ହୋଲସେଲ କାରବାର କରିବାକୁ ନିର୍ଦେଶ ରହିଥିବା ବେଳେ ୩୬୮ ଟି ସ୍ଥାନରେ ଖୁଚୁରା ବିକ୍ରୟ କରିବାକୁ କୁହାଯାଇଛି।ଯାହାକି ମୁଖ୍ୟ ହାଟ ଗୁଡିକରେ ଜନଗହଳି କମିପାରିବ ,ସାମାଜିକ ଦୂରତା ରକ୍ଷା ହେବ ଏବଂ କରୋନା ସଂକ୍ରମଣ ପ୍ରତିରୋଧ କୁ କଡାକଡି ପାଳନ ରେ ସହାୟକ ହେବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚଉଧାରୀ କହିଛନ୍ତି।
ୟୁନିଟ ୧ ହାଟ ୧୯୬୦ ମସିହାରୁ ନିର୍ମାଣ ହୋଇଥିଲା, ଛୋଟ ଛୋଟ ଦୋକାନ ହୋଇଥିବାରୁ ସାମାଜିକ ଦୂରତା ରକ୍ଷା କରି ହେଉନି,ତେଣୁ ଆଜି ବୈଠକ ବସି ଆଲୋଚନା ହେଲା କାଲିଠାରୁ ପ୍ରତ୍ୟକ ୱାର୍ଡରେ ପନିପରିବା ବିକ୍ରି କରାଯିବ । ସ୍ମାର୍ଟସିଟି ରାଜମହଲ ଛକରୁ ବାଣୀ ବିହାର ପର୍ଯ୍ୟନ୍ତ ଥିବା ସ୍ମାର୍ଟ କିଅସ୍କରେ ମଧ୍ୟ ବ୍ୟବସାୟ କରିବା ନେଇ ବିଏମସି ଅନୁମତି ଦେଇଛି । ରାଜମହଲ ଛକରେ କିଛି ଗ୍ରୋସେରି ସାମଗ୍ରୀ ବିକ୍ରି ହେବ । ଏହାକୁ ୟୁନିଟ ୧ ହାଟ ମହାସଂଘ ସ୍ବାଗତ କରିଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ,ରାଜଧାନୀ ୟୁନିଟ ୧ ହାଟ ବ୍ୟବସାୟୀ ମହାସଂଘ ସଭାପତି ଗୟାଧର ସ୍ବାଇଁ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ