ଭୁବନେଶ୍ବର: ଆସନ୍ତାକାଲି (ଶନିବାର)ଠୁ ପୋଲିସ କର୍ମଚାରୀ ନେବେ କୋରୋନା ଟିକା । କଟକ ଓ ଭୁବନେଶ୍ବରରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । କମିସନରେଟ ପୋଲିସ, ଡିସିପି ଭୁବନେଶ୍ବର ୭ମ ବାଟାଲିୟନ, ଗୁଇନ୍ଦା, ଏସଓଜି, ବିଜୁ ପଟ୍ଟନାୟକ ଏକାଡେମୀ ସମେତ ୧୯ଟି ପୋଲିସ ପ୍ରତିଷ୍ଠାନର ୮ ହଜାର ୯୩୭ ପୋଲିସ ଓ ହୋମହାର୍ଡ କର୍ମଚାରୀ ଟିକା ଗ୍ରହଣ କରିବେ । ଏନେଇ ରିଜର୍ଭ ପୋଲିସ ବାଟାଲିୟନ ହସ୍ପିଟାଲ, ୭ମ ବାଟାଲିୟନ ହସ୍ପିଟାଲ, ସିପି ଅଫିସ ଆଦି ୩ଟି ସ୍ଥାନରେ ଟୀକାକରଣ କରାଯିବ।
ଆନୁଷ୍ଠାନିକଭାବେ ପୋଲିସ ଡିଜି ଅଭୟ କଟକରେ ଆସନ୍ତାକାଲି ୯ଟା ୩୦ରେ ପ୍ରଥମେ ଟିକା ଗ୍ରହଣ କରିବେ । ତେବେ ଆସନ୍ତାକାଲିଠୁ (ଶନିବାର) ପୋଲିସ କର୍ମଚାରୀଙ୍କ ସମେତ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା ।
କଟକରେ ରାଜ୍ଯ ପୋଲିସର ସଦର ମହକୁମା, ଡିସିପି ଭୁବନେଶ୍ବର, ଫାୟାର ସର୍ଭିସ, କ୍ରାଇମବ୍ରାଞ୍ଚ ପରି ୧୧ଟି ପୋଲିସ ପ୍ରତିଷ୍ଠାନର ୬ ହଜାର ୭୬୭ଜଣ ପୋଲିସ ଓ ହୋମଗାର୍ଡ କର୍ମଚାରୀଙ୍କୁ ଟିକା ଦିଆଯିବ । ଏଥିପାଇଁ ନେତାଜୀ ଇନଡୋର ଷ୍ଟାଡିୟମରେ ଟିକାକରଣ ପାଇଁ ବ୍ଯବସ୍ଥା କରାଯାଇଛି ।
ପୋଲିସ ଡିଜି ଅଭୟ ପ୍ରଥମେ ଟିକା ଗ୍ରହଣ କରିବା ପରେ ଅନ୍ଯ ବରିଷ୍ଠ ଅଧିକାରୀ ଓ ଅନ୍ଯାନ୍ଯ ପୋଲିସ କର୍ମଚାରୀ ଟିକା ନେବେ । ୬ରୁ ୭ଦିନ ମଧ୍ଯରେ ସମସ୍ତ ପୋଲିସ କର୍ମଚାରି ଟିକା ନେବେ ବୋଲି ଆଶା ରଖାଯାଇଥିବା କହିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ