ଓଡିଆ ଭାଷା ଓ ଓଡିଆ ସାମ୍ବାଦିକତାର ସୃଷ୍ଟି କେଉଁଠୁ ଓ କେବେଠାରୁ ହୋଇଛି ତାହାର ଉତ୍ତର ହୁଏତ କିଛି ସ୍ପଷ୍ଟ କହିହେବ ନାହିଁ । କିନ୍ତୁ ଓଡିଆ ସାମ୍ବାଦିକତାର ଅନେକ ଆଧାର ରହିଥିବା ବିଶ୍ବାସ ରହିଛି । ଏଥିରୁ ସର୍ବପୁରାତନ ଆଧାର ଭାବେ ମାଦଳ ପାଞ୍ଜି ରହିଥିବା ବିଶ୍ବାସ କରାଯାଏ । ଇତିହାସ କୁହେ କି ପୁରୀସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଦ୍ବାରା ପ୍ରକାଶିତ ଏହି ପାଞ୍ଜି ପୁରାତନ କାଳରେ ଶ୍ରୀମନ୍ଦିରର ବାର୍ତ୍ତା ବାହକ ଓ ପ୍ରଚାରକ ଭାବେ କାର୍ଯ୍ୟ କରୁଥିଲା । ଏହାର ସୃଷ୍ଟି କେବେ ତାହା ସ୍ପଷ୍ଟ ନଥିବା ବେଳେ ବିଶ୍ବାସ ରହିଛି କି ଏହା ଦ୍ବାଦଶରୁ ଚତୁର୍ଦ୍ଦଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ସୃଷ୍ଟି ହୋଇଥାଇପାରେ । ଓଡିଶାର କୋଣ ଅନୁକୋଣରେ ଏହା ପ୍ରତି ରହିଥିଲା ପ୍ରଗାଢ ବିଶ୍ବାସ । ଯାହାକୁ ସେ ସମୟରେ ଓଡିଆ ସାମ୍ବାଦିକତାର ମୂଳଦୂଆ ବୋଲି କୁହାଯାଇପାରେ ।
ଏପରି ମଧ୍ୟ ବିଶ୍ବାସ ରହିଛି କି କୁଜିବର ପତ୍ରକୁ ଓଡିଆ ସାମ୍ବାଦିକତାର ଆଧାର ଭାବେ ଧରା ଯାଇପାରେ । 1769ରେ ଚୌଦ୍ବାରସ୍ଥିତ କୁଜିବର ମଠର ମହନ୍ତ ସାଧୁ ସୁନ୍ଦର ଦାସ ଏହି ପତ୍ରର ପ୍ରଚଳନ ଆରମ୍ଭ କରିଥିଲେ । ତାଳ ପତ୍ରରେ ଲେଖାଯାଇଥିବା ଏହି କୁଜିବର ପତ୍ରରେ ବିଭିନ୍ନ ପ୍ରସଙ୍ଗ ଯଥା ସାମାଜିକ ସମ୍ପର୍କ ଓ ଧାର୍ମିକ ବିଶ୍ବାସ ଉପରେ ଆଲୋଚନା ହୋଇଥିଲା । ଏଥିସହ ରାଜନୀତି, ପ୍ରଶାସନିକ କାର୍ଯ୍ୟକଳାପ ଓ ସାମାଜିକ ପ୍ରଥା ନେଇ ବିଭିନ୍ନ ତଥ୍ୟ ଉପରେ ଆଲୋଚନା ହେଉଥିଲା ।
ତେବେ ଓଡିଶାରେ ଛାପାଖାନା ବା ଛାପା ଗଣମାଧ୍ୟମର ପ୍ରଚଳନ ଖ୍ରୀଷ୍ଟିଆନ ପ୍ରଚାରକଙ୍କ ପ୍ରେରଣାରେ ଫେବୃଆରୀ 12, 1822ରେ ଆରମ୍ଭ ହୋଇଥିଲା । ଏଥିରେ ଓଡିଆ ଭାଷାରେ ପ୍ରଥମ ପୁସ୍ତକ ପ୍ରକାଶିତ ହୋଇଥିଲା । ଯାହାକୁ ସେରାମ୍ପୋର ବାପଟିଷ୍ଟ ମିଶନ ପ୍ରେସରେ 1809 ମସିହାରେ ପ୍ରକାଶନ କରାଯାଇଥିଲା । ଏହାପରେ ହିଁ ଓଡିଶାରେ ଆରମ୍ଭ ହୋଇଥିଲା ଛାପାଖାନା । ଏହିକ୍ରମରେ କଟକରେ ରାଜ୍ୟର ପ୍ରଥମ ଛାପାକାନା 1837 ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହାର ନାମ ରହିଥିଲା କଟକ ମିଶନ ପ୍ରେସ । ଏଠାରେ ବିଭିନ୍ନ ପ୍ରାସଙ୍ଗିକ ବିଷୟ ସମେତ ଧାର୍ମିକ ବିଷୟକୁ ନେଇ ମଧ୍ୟ ପୁସ୍ତକ ପ୍ରକାଶନ ଆରମ୍ଭ ହୋଇଥିଲା ।
ଦେଖୁ ଦେଖୁ କିଛି ସମୟ ମଧ୍ୟରେ ଓଡିଆ ସାମ୍ବାଦିକତା କ୍ଷେତ୍ରରେ ପରିବର୍ତ୍ତନର ସ୍ବର ଶାଣିତ ହୋଇଥିଲା । ସ୍ଥିତି ବିକାଶଶୀଳ ହେବା ସହ ବିଭିନ୍ନ ବିଷୟକୁ ନେଇ ପୁସ୍ତକ ପ୍ରକାଶନ ଆରମ୍ଭ ହୋଇଥିଲା । କଟକ ମିଶନ ପ୍ରେସରେ ପ୍ରକାଶିତ ପ୍ରଥମ ଓଡିଆ ଜର୍ଣ୍ଣାଲ ଥିଲା 1849 ମସିହାରେ ‘ଜ୍ଞାନଋଣ’ ଓ 1856 ଜାନୁଆରୀରରେ ପ୍ରକାଶିତ ‘ପ୍ରବୋଧ ଚନ୍ଦ୍ରିକା’ । ସେହିପରି 1961ରେ ପ୍ରକାଶ ପାଇଥିଲା ପତ୍ରିକା ‘ଅରୁଣୋଦୟ’ । ହେଲେ ଏସମସ୍ତ ପ୍ରକାଶନର ପୁସ୍ତକ କେବଳ କଟକ ମଧ୍ୟରେ ସୀମିତ ରଖାଯାଇଥିଲା । ଏସମସ୍ତ ପୁସ୍ତକ, ଜର୍ଣ୍ଣାଲ ଓ ପତ୍ରିକା ଆଦି ପ୍ରଚାରକମାନଙ୍କ ଦ୍ବାରା ପ୍ରଭାବିତ ଥିବା ବିଶ୍ବାସ କରାଯାଉଥିବାରୁ ଧିରେ ଧିରେ ଏହାର ପ୍ରକ୍ରିୟାର ପରିବର୍ତ୍ତନ ପାଇଁ ଚିନ୍ତା ଆରମ୍ଭ ହେଲା । ଏହି ଚିନ୍ତା ପାଇଁ ଧିରେ ଧିରେ ପୁସ୍ତକଗୁଡିକ ନିଜର ଲୋକପ୍ରିୟତା ହରାଇବା ଆରମ୍ଭ କରିଥିଲା । ପରିଣାମ ସ୍ବରୂପ ବନ୍ଦ ହୋଇଥିଲା ସମସ୍ତ ପ୍ରକାଶନ ।
ଇତି ମଧ୍ୟରେ 1866 ମସିହା ଅଗଷ୍ଟ 4ରେ ପ୍ରକାଶିତ ହୋଇଥିଲା ପ୍ରଥମ ସାପ୍ତାହିକ ଓଡିଆ ଖବରକାଗଜ ‘ଉତ୍କଳ ଦୀପିକା’ । ଗୌରୀଶଙ୍କର ରାୟଙ୍କ ଉଦ୍ୟମରେ ଏହି ସାପ୍ତାହିକ ଖବରକାଗଜ ଆରମ୍ଭ ହୋଇଥିଲା । ପ୍ରତୀକ ସ୍ବରୂପ ଏହି ଦିନଟିକୁ ଓଡିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଗଲା । ଏହା ଏପରି ସମୟରେ ଓଡିଶାରେ ପ୍ରବେଶ କରିଥିଲା ଯେଉଁ ସମୟରେ ଅନେକ ଅସୁବିଧା ଦେଇ ରାଜ୍ୟ ଗତି କରୁଥିଲା । ରାଜ୍ୟରେ ଦୁର୍ଭିକ୍ଷ ପରି ସ୍ଥିତି ଲାଗି ରହିଥିଲା । ପ୍ରକୋପରେ ପୋଛି ହୋଇଯାଇଥିଲା ରାଜ୍ୟରେ ଏକ ତୃତୀୟାଂଶ ଜନସଂଖ୍ୟା । ଓଡିଆ ଭାଷା ଏହି ସମୟରେ ଏକ ପ୍ରକାର ଦୁର୍ଦ୍ଦିନ ଦେଇ ଗତି କରୁଥିଲା । ଯାହାକୁ ମୁଖ୍ୟସ୍ରୋତରେ ପୁଣି ସାମିଲ କରିବା ପାଇଁ ଏକ ପ୍ରଭାବଶାଳୀ ନେତୃତ୍ବର ଆବଶ୍ୟକତା ରହିଥିଲା ।
ଏପରି ଏକ ଘଡିସନ୍ଧୀ ମୁହୂର୍ତ୍ତରେ ଜାତୀୟ ଆନ୍ଦୋଳନ ଚାଲିଥିବା ସମୟରେ ହିଁ ଜନ୍ମ ନେଇଥିଲା ଉତ୍କଳ ଦୀପିକା । ଏହା ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସାହାଯ୍ୟ କରିଥିଲା । ଏହା ଲଗାତାର ଦୁର୍ଭିକ୍ଷ ସ୍ଥିତି ଉପରେ ନଜର ରଖିବା ସହ ଏହାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇପାରେ ସେ ଦିଗରେ ଗୁରୁତ୍ବାରୋପ କରିଥିଲା । ଏଥିସହ ଏହା ଓଡିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଥିଲା । କହିବାକୁ ଗଲେ ଏହା ଓଡିଆ ଭାଷାଭାଷୀଙ୍କୁ ଏକାଠି କରିବାରେ ଏକ ପ୍ରମୁଖ ଭୂମିକା ବହନ କରିଥିଲା । କେବଳ ସେତିକି ନୁହେଁ ଏହା ଆଧୁନିକ ସାମ୍ବାଦିକତାର ସମସ୍ତ ଭୂମିକା ବହନ କରିଥିଲା । ନିଜ ଲେଖା ଦ୍ବାରା ଏହା ସମାଜ ଉପରେ ଆନ୍ଦୋଳନାତ୍ମକ ପ୍ରଭାବ ସୃଷ୍ଟି କରିବାରେ ସକ୍ଷମ ଥିଲା ।
ତେବେ 1936 ପର୍ଯ୍ୟନ୍ତ ଏହା ଏହାର ପ୍ରକାଶନ ଜାରି ରହିଥିଲା ଏବଂ 1917 ମାର୍ଚ୍ଚରେ ମୃତ୍ୟୁ ପର୍ଯ୍ୟନ୍ତ ଗୌରୀଶଙ୍କର ରାୟ ଏହାର ସମ୍ପାଦନା ଦାୟିତ୍ବ ସମ୍ଭାଳିଥିଲେ । ତାଙ୍କ ପରେ ନୀଳମଣି ବିଦ୍ୟାରତ୍ନ ନୂଆ ସମ୍ପାଦକ ଭାବେ ଦାୟିତ୍ବ ସମ୍ପନ୍ନ କରିଥିଲେ । 1923 ଯାଏଁ ସେ ଉତ୍କଳ ଦୀପିକା ସହ ରହିଥିଲେ ଓ ତାଙ୍କ ପରେ ଧିରେ ଧିରେ ନିଜ ସ୍ଥିତି ହରାଇ ଥିଲା ଏହି ସାପ୍ତାହିକ ଖବର କାଗଜ । ଶେଷରେ 70 ବର୍ଷର ଯାତ୍ରା ପରେ ଉତ୍କଳ ଦୀପିକାରେ ପଡିଥିଲା ଯବନିକା ।